ଦେଶ ଓ ବିଦେଶ
ଦୁର୍ଘଟଣାଗ୍ରସ୍ତ ଇଣ୍ଡୋନେସୀୟ ବିମାନ : ମିଳିଲା ଭଗ୍ନାଂଶ ଓ ଯାତ୍ରୀଙ୍କ ଅଙ୍ଗପ୍ରତ୍ୟଙ୍ଗ

ଜାକର୍ତା : ଇଣ୍ଡୋନେସୀୟ ଉଦ୍ଧାକାରୀମାନେ ଜାଭା ସମୁଦ୍ରରୁ ରବିବାର ଯାତ୍ରୀଙ୍କର ଦେହାଂଶ, ଚିରା ପୋଷାକପତ୍ର ଓ କିଛି ଧାତବ ଭଗ୍ନାଂଶ ପାଇଛନ୍ତି । ଜାକର୍ତା ପୋଲିସ ମୁଖପାତ୍ର ୟୁସ୍ରି ୟୁନୁସ୍ କହିଛନ୍ତି ଯେ, ଏବେ ସୁଦ୍ଧା ଆମେ ଦୁଇଟି ବ୍ୟାଗ୍ ମିଳିଛି । ଗୋଟିଏ ବ୍ୟାଗ୍ରେ ଯାତ୍ରୀଙ୍କ ସାମଗ୍ରୀ ଥିବା ବେଳେ ଅନ୍ୟଟିରେ ମାନବ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଛି । ଉପରୋକ୍ତ ଖଣ୍ଡବିଖଣ୍ଡ ସାମଗ୍ରୀ ସବୁ 'ଏସ୍ଏଆର୍' ଟିମ୍ ଲାନ୍କ୍ୟାଗ୍ ଦ୍ୱୀପ ଓ ଲାକି ଦ୍ୱୀପ ମଧ୍ୟବର୍ତ୍ତୀ ସମୁଦ୍ର ଜଳରାଶିରୁ ଉଦ୍ଧାର କରିଛନ୍ତି ।
ଇଣ୍ଡୋନେସିଆର ଏକ ଯାତ୍ରୀବାହୀ ବିମାନ ଶନିବାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।
ଶ୍ରୀଜାୟା ଏୟାରଲାଇନ୍ସର ଉକ୍ତ ବିମାନଟି ୫୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରିଉ ସଦସ୍ୟଙ୍କୁ ନେଇ ଜାକର୍ତ୍ତାରୁ ସକାଳ ୭.୩୦ମିନିଟ ସମୟରେ ପୋନ୍ତିଆନାକ୍ ଅଭିମୁଖେ ଯାତ୍ରାରମ୍ଭ କରିଥିଲା । ତେବେ ଉଡାଣ ଭରିବାର ମାତ୍ର ୪ ମିନିଟ ପରେ ଏହା ରାଡାର ପର୍ଦ୍ଦାରୁ ଉଭାନ ହୋଇଥିଲା ବୋଲି ଜାକର୍ତ୍ତା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପକ୍ଷରୁ କୁହାଯାଇଛି । ସେତେବେଳେ ବିମାନଟି ଭୂପୃଷ୍ଠଠାରୁ ୧୦,୦୦୦ ଫୁଟ ଉଚ୍ଚରେ ଉଡୁଥିଲା । ବୋଇଂ ୭୩୭-୫୦୦ ଏହି ବିମାନଟି ୨୭ ବର୍ଷ ପୁରୁଣା ଏବଂ ଉଡାଣ ପୂର୍ବରୁ ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇନଥିବା ଜଣାପଡିଛି । ବିମାନର ସମସ୍ତ ଯାତ୍ରୀ ଇଣ୍ଡୋନେସୀୟ ନାଗରିକ ଥିଲେ ବୋଲି ଜଣାପଡ଼ିଛି। ନିଖୋଜ ବିମାନର ସନ୍ଧାନ କରିବାକୁ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିବା ଜଣାପଡିଛି ।
ସୂଚନା ଯେ, ୨୦୧୮ ଅକ୍ଟୋବରରେ ୧୯୦ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡୋନେସିଆର ଲାୟନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବୋଇଂ୭୩୭ ମ୍ୟାକ୍ସ ବିମାନ ଜାଭା ସମୁଦ୍ରକୁ ଖସିପଡିବା ଫଳରେ ସବୁ ଯାତ୍ରୀ ଓ ବିମାନ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା । ୨୦୧୯ ମାର୍ଚ୍ଚ ୧୦ରେ ଇଥିଓପିଆ ଏୟାରଲାଇନ୍ସର ଏକ ବୋଇଂ-୭୩୭ ମ୍ୟାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୧୫୭ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ଏହି ଦୁଇଟି ଦୁର୍ଘଟଣା ଯୋଗୁଁ ବୋଇଂ କମ୍ପାନୀ ସମାଲୋଚିତ ହେବାସହିତ କ୍ଷତିପୂରଣ ବାବଦରେ ୨୦୦ କୋଟି ଡଲାର ଦେବାକୁ ବାଧ୍ୟ ହୋଇଥିଲା ।