ଝାରସୁଗୁଡ଼ା, ୦୫ ମେ (ହି.ସ.) - ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ମରାକୁଟାରେ ଅବସ୍ଥିତ ଓଡିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀ ବିରୋଧରେ ଗୁରୁତର ଅଭିଯୋଗ ଉଠିଛି। କର୍ପୋରେଟ ଏନଭାରମେଂଟାଲ ରେସପନ୍ସବିଲିଟି ଯୋଜନା ଅନୁସାରେ ଅଂଚଳର ଉନ୍ନତି ପାଇଁ ନିର୍ଦ୍ଧାରିତ ୨୨ କୋଟି ୫୦ ଲକ୍ଷ ଟଙ୍କା କମ୍ପାନୀ ଖର୍ଚ୍ଚ କରିନଥିବା ସହ ଏହାର ସଠିକ ହିସାବ ମଧ୍ୟ ପ୍ରଦାନ କରିପାରିନଥିବା ନେଇ ସ୍ଥାନୀୟ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି।
ସୂଚନାନୁସାରେ, ମରାକୁଟା, ଜମେରା ଓ ଏଚ. କଟାପାଲି ପଂଚାୟତରେ ୨୦୨୪-୨୫ ରୁ ୨୦୨୬-୨୭ ମଧ୍ୟରେ ଏହି ଅର୍ଥରେ ରାସ୍ତା, ପାନୀୟଜଳ, ଆଲୋକୀକରଣ, ପୋଖରୀ ସଂସ୍କାର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଦେବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଯୋଜନାରେ ଗୋଟିଏ ଟଙ୍କା ମଧ୍ୟ ବ୍ୟୟ ହୋଇନାହିଁ।
ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବାବେଳେ, ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମିଳିଥିଲା। ଗତ ମାର୍ଚ୍ଚ ୨୦ ତାରିଖରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ତ୍ରିସ୍ତରୀୟ ବୈଠକ ହୋଇଥିଲା। ବୈଠକରେ କମ୍ପାନୀ ପକ୍ଷରୁ କୌଣସି ସନ୍ତୋଷଜନକ ତଥ୍ୟ ଦିଆଯାଇପାରିନଥିଲା।
ପରେ ମାର୍ଚ୍ଚ ୨୨ରେ କମ୍ପାନୀକୁ ଏକ ମାସ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମିଳିଥିଲେ ମଧ୍ୟ, ଦେଢ଼ ମାସ ବିତିଲାପରେ ମଧ୍ୟ କୌଣସି ରିପୋର୍ଟ ଦାଖଲ ହୋଇନାହିଁ। ଏହାକୁ ନେଇ ପ୍ରଶାସନର କାର?୍ୟ୍ୟପଦ୍ଧତି ଉପରେ ମଧ୍ୟ ପ୍ରଶ୍ନ ଉଠୁଛି।
ଅନ୍ୟପଟେ, କମ୍ପାନୀର ପୂର୍ବରୁ ମଧ୍ୟ ବିଭିନ୍ନ ବେଆଇନ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ଆସୁଥିବା ବେଳେ, ଏହି ଘଟଣା ପଛରେ କୌଣସି ପ୍ରଭାବଶାଳୀ ମହଳର ହସ୍ତକ୍ଷେପ ଅଛି କି ନାହିଁ ନେଇ ସନ୍ଦେହ ଜନ୍ମ ନେଇଛି।
ଏ ସମ୍ପର୍କରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି ଯେ, ମାମଲାଟି ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ଏବଂ ଶୀଘ୍ର କମ୍ପାନୀ ପକ୍ଷକୁ ଡାକି ଆଲୋଚନା କରାଯିବ। କମ୍ପାନୀର ବରିଷ୍ଠ ଅଧିକାରୀ ଅଜିତ ସିଂ ଏହି ମାମଲାରେ କୌଣସି ମତାମତ ଦେବାକୁ ଅସ୍ୱୀକାର କରିଛନ୍ତି।
ଏହି ପରିସ୍ଥିତିରେ, କମ୍ପାନୀ ବିରୋଧରେ ପ୍ରଶାସନ କଡ଼ା ପଦକ୍ଷେପ ନେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ
