Dailyhunt
ଆଇଆଇଏମ୍ ସମ୍ବଲପୁରର ସମାବର୍ତନ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ଆଇଆଇଏମ୍ ସମ୍ବଲପୁରର ସମାବର୍ତନ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର, ୦୪ ଏପ୍ରିଲ (ହି.ସ.)- ସ୍ନାତକମାନେ ଚାକିରି ଖୋଜିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଏପ୍ରିଲ ୪ତାରିଖ ଶନିବାର ଦିନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ (ଆଇଆଇଏମ) ସମ୍ବଲପୁରର ଦଶମ ବାର୍ଷିକ ସମାବର୍ତନ ଉତ୍ସବରେ ଯୋଗଦେଇ ଭାରତରେ ଉଦ୍ୟମିତା ଏବଂ ନବସୃଜନର ବର୍ଦ୍ଧିତ ସୁଯୋଗ ଉପରେ ଆଲୋକପାତ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।

ଏହି ସମାବର୍ତନ ଉତ୍ସବରେ ରାଜ୍ୟପାଳ ଉଦବୋଧନ ଦେଇ ଦେଶରେ ଅଭୂତପୂର୍ବ ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ଭଳି ପ୍ରମୁଖ ପଦକ୍ଷେପ ଦ୍ୱାରା ଏହା ପରିଚାଳିତ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସ୍ଥିର ଭାବରେ ଷ୍ଟାର୍ଟଅପ୍, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ପାଇଁ ବିଶ୍ୱରେ ଏକ କେନ୍ଦ୍ର ଭାବରେ ଉଭା ହୋଉଛି ଯାହା ପାଣ୍ଠି, ପରାମର୍ଶ ଏବଂ ନୀତି ସମର୍ଥନର ଏକ ଦୃଢ଼ ଇକୋସିଷ୍ଟମ୍ ଦ୍ୱାରା ସମର୍ôଥତ ହୋଇଛି।

ପ୍ରତିଷ୍ଠାନର କାର୍ଯ୍ୟାବଳୀକୁ ରାଜ୍ୟପାଳ ପ୍ରଶଂସା ପ୍ରକାଶ କରି ଆଇଆଇଏମ୍ ସମ୍ବଲପୁରକୁ ନବସୃଜନ, ସମାବେଶୀ ଏବଂ ଶୈକ୍ଷିକ ଉତ୍କର୍ଷତାର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ, ଯାହା ସାଂସ୍କୃତିକ ଐତିହ୍ୟକୁ ଆଧୁନିକ, ପ୍ରଯୁକ୍ତିବିଦ୍ୟା-ଚାଳିତ ଶିକ୍ଷା ସହିତ ସମିଶ୍ରଣ କରିଛି । ଏମବିଏ, ଏକଜିକ୍ୟୁଟିଭ୍ ଏମବିଏ, ଏମବିଏ ଫର ୱାରକିଂଗ ପ୍ରଫେସନାଲ ସ୍ନାତକମାନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ ଏବଂ ଅଧ୍ୟାପକ ଓ ଅଭିଭାବକଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ।

ଏତଦବ୍ୟତୀତ ଏହି ସମାବର୍ତନ ଉତ୍ସବ ସଫଳତା ଏବଂ ଦାୟିତ୍ୱ ଉଭୟକୁ ଚିହ୍ନିତ କରେ ବୋଲି ରାଜ୍ୟପାଳ କହିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଜ୍ଞାନକୁ ସଚ୍ଚୋଟତା ଏବଂ ଉଦ୍ଦେଶ୍ୟ ସହିତ ବିଶ୍ୱର ବାସ୍ତବ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରୟୋଗ କରିବାକୁ ଆହ୍ୱାନ ଜଣାଇଥିଲେ। ସମୟ ଓ ପ୍ରଯୁକ୍ତିବିଦ୍ୟା ସହ ତାଳଦେଇ ଚାଲିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ନୋକିଆ କମ୍ପାନୀର ଉଦାହରଣ ଦେଇ ପ୍ରଯୁକ୍ତିବିଦ୍ୟା ପରିବର୍ତନ ସହିତ ତାଳ ଦେଇ ନପାରିବା କାରଣରୁ ବଜାର ପ୍ରାଧାନ୍ୟ ହରାଇଥିଲା ବୋଲି କହିଥିଲେ । ସେହିପରି ପରାଗ ଅଗ୍ରୱାଲଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ।, ଟ୍ୱିଟର ର ନେତୃତ୍ୱରୁ ହଟିଯିବା ପରେ ତାଙ୍କ ସ୍ଥିରତା ଏବଂ ନୂତନ ଉଦ୍ୟମ ମାଧ୍ୟମରେ ପୁନଃନିର୍ମାଣ ପାଇଁ ତାଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଏହିପରି ଉଦାହରଣ ଦର୍ଶାଇ ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ ଅସଫଳତା ପରିବର୍ତ୍ତନକରି ନୂତନତ୍ୱ ଆଣିପାରେ ଏବଂ ଅଭିବୃଦ୍ଧିକୁ ସୁଯୋଗରେ ପରିଣତ କରିପାରେ ବୋଲି ରାଜ୍ୟପାଳ କହିଥିଲେ ।

ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ଏବଂ ଉଦ୍ୟୋଗ କ୍ଷେତ୍ରରେ ଏକ କେନ୍ଦ୍ର ଭାବରେ ଉଭାହେବା ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ ଏବଂ ଉତ୍ପାଦନ, ଖଣି, ବୟନଶିଳ୍ପ, ଆଇଟି ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ବୋଲି କହିଥିଲେ । ଏହି ସୁଯୋଗଗୁଡ଼ିକୁ ସଦୁପଯୋଗ କରି ରାଜ୍ୟର ବିକାଶରେ ଯୋଗଦାନ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

କୃତ୍ରିମ ବୁଦ୍ଧିମତା, ହାଇବ୍ରିଡ୍ କାର୍ଯ୍ୟ ମଡେଲ୍, ସ୍ଥାୟୀତ୍ୱ ଏବଂ ନୈତିକ ଶାସନ ସମେତ ବିକାଶଧାରା ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରି ନେତୃତ୍ୱ ପାଇଁ ସହାନୁଭୂତିଶୀଳତା, ଗ୍ରହଣୀୟତା ଏବଂ ଭାବପ୍ରବଣ ବୁଦ୍ଧିମତାର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ । ପ୍ରତିଷ୍ଠାନ ଏହାର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ଅଧିକ ମଜବୁତ କରିବାପାଇଁ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକୃତ ସଫଳତା କେବଳ ବୃତିଗତ ସଫଳତାରେ ନୁହେଁ ବରଂ ମୂଲ୍ୟବୋଧ ଏବଂ ନିଜେ ସୃଷ୍ଟି କରୁଥିବା ପ୍ରଭାବରେ ରହିଛି ବୋଲି ରାଜ୍ୟପାଳ କହିବା ସହିତ ସ୍ନାତକମାନେ ଜୀବନବ୍ୟାପୀ ଶିକ୍ଷାର୍ଥୀ ଏବଂ ସାମାଜିକ ପ୍ରଗତି ପାଇଁ ପ୍ରତିବଦ୍ଧତାର ସହ ଦାୟିତ୍ୱବାନ ହେବାକୁ ଉତ୍ସାହିତ କରିଥିଲେ।

ଏହି ସମାବର୍ତନ ଉତ୍ସବରେ ସମ୍ମାନିତ ଅତିଥିଭାବେ ଆଡୋବ ଇଣ୍ଡିଆର ଉପାଧ୍ୟକ୍ଷା ତଥା ପରିଚାଳନା ନିର୍ଦ୍ଦେଶକ ପ୍ରତିଭା ମହାପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲ ବିବରଣୀ ଉପସ୍ଥାପନା କରିଥିବା ବେଳେ ବୋର୍ଡ ଅଫ୍ ଗଭର୍ଣ୍ଣରସର ଚେୟାରପର୍ସନ ଇନ-ଚାର୍ଯ୍ୟ ପ୍ରଫେସର ଚନ୍ଦନ ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ଅବସରରେ ବିଭିନ୍ନ ବର୍ଗର କୃତୀ ସ୍ନାତକମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya