ସମ୍ବଲପୁର, ୦୫ ଜୁଲାଇ (ହି.ସ.) ସ୍ୱତନ୍ତ୍ର ସଘନ ସଂଶୋଧନ - ୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଘରକୁ ଘର ସର୍ଭେ ଏବଂ ଗଣନା ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ସମାପ୍ତ ହେବା ପରେ ରବିବାର ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଜିଲ୍ଲାର ସମସ୍ତ ୧୧୬୬ଟି ଭୋଟଗ୍ରହଣ କେନ୍ଦ୍ର ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଯାଞ୍ଚ ପାଇଁ ଉପଲବ୍ଧ କରାଯାଇଛି।
ଯେଉଁ ଯୋଗ୍ୟ ମତଦାତାଙ୍କ ନାମ ଖସଡ଼ା ତାଲିକାରେ ସାମିଲ ହୋଇନାହିଁ, ସେମାନେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ମଧ୍ୟରେ ଫର୍ମ-୬ ସହ ଆବଶ୍ୟକ ଘୋଷଣାପତ୍ର ଏବଂ ନିର୍ଦ୍ଧାରିତ ଦଲିଲ ସଂଲଗ୍ନ କରି ଆବେଦନ କରିପାରିବେ। ଦାବି ଓ ଆପତ୍ତିର ଶୁଣାଣି ୫ ଜୁଲାଇରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ୬ ସେପ୍ଟେମ୍ବରରେ ପ୍ରକାଶ ପାଇବ। ଜିଲ୍ଲାର ଚାରିଟି ବିଧାନସଭା କ୍ଷେତ୍ରରେ ମୋଟ ୮,୪୪,୭୪୧ ଜଣ ମତଦାତାଙ୍କ ମଧ୍ୟରୁ ୭,୯୧,୯୬୬ ଜଣଙ୍କ ତଥ୍ୟ ସଫଳତାର ସହ ମ୍ୟାପିଂ ହୋଇଥିବା ବେଳେ ୫୨,୭୭୫ ଜଣଙ୍କ ତଥ୍ୟ ଏପର୍ଯ୍ୟନ୍ତ ଅମ୍ୟାପ୍ ରହିଛି । ଯୁକ୍ତିସଙ୍ଗତୀକରଣ ପରେ ଜିଲ୍ଲାରେ ୨୦୮ଟି ନୂଆ ଭୋଟଗ୍ରହଣ କେନ୍ଦ୍ର ସୃଷ୍ଟି ହୋଇ ମୋଟ ବୁଥ୍ ସଂଖ୍ୟା ୧୧୬୬ରେ ପହଞ୍ଚିଛି। ଖସଡ଼ା ଭୋଟର ତାଲିକା ପ୍ରକାଶ ଅବସରରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧିମାନଙ୍କ ସହ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦାବି ଓ ଆପତ୍ତି ଦାଖଲ ପ୍ରକ୍ରିୟା, ଫର୍ମ-୬, ଫର୍ମ-୭ ଓ ଫର୍ମ-୮ର ବ୍ୟବହାର, ବୁଥ୍ ଲେଭେଲ୍ ଏଜେଣ୍ଟଙ୍କ ଭୂମିକା, ଭୋଟର ତାଲିକା ଯାଞ୍ଚ ଏବଂ ମତଦାତା ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ନୂତନ ନାମ ସାମିଲ କରିବା ପାଇଁ ଆବେଦନ ସହ ପରିଚୟପତ୍ର, ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ଶିକ୍ଷାଗତ ସାର୍ଟିଫିକେଟ୍, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଜମି କିମ୍ବା ଘର ଆବଣ୍ଟନ ପ୍ରମାଣପତ୍ର ସମେତ ନିର୍ବାଚନ କମିଶନ ନିର୍ଦ୍ଧାରିତ ଯେକୌଣସି ବୈଧ ଦଲିଲ ଦାଖଲ କରିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ
