ଭୁବନେଶ୍ୱର, ୦୪ ଏପ୍ରିଲ (ହି.ସ.)- ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଦମ୍ୟ ସାହସ ଓ ଅପରିମିତ ତ୍ୟାଗର ପରିଚୟ ଦେଇ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ଜୀବନ ବଳିଦାନ କରିଥିବା ଅମର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ତାଙ୍କ ଶ୍ରାଦ୍ଧଦିବସ ଅବସରରେ ଗଭୀର ଶ୍ରଦ୍ଧା ସହ ସ୍ମରଣ କରାଯାଇଥିଲା। ତାଙ୍କର ତ୍ୟାଗ ଓ ଦେଶପ୍ରେମ ଆଜି ମଧ୍ୟ ସମାଜକୁ ପ୍ରେରିତ କରୁଥିବାରୁ ତାଙ୍କ ଆଦର୍ଶ ସଦା ପଥପ୍ରଦର୍ଶକ ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ଶନିବାର ସକାଳ ସମୟରେ ଭୁବନେଶ୍ୱରର ୟୁନିଟ୍-୯ ସ୍ଥିତ ଅମର ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଯାଇଥିଲା।
ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ନିର୍ଦ୍ଦେଶକ ଦୀପକ କୁମାର ସାହୁ, ରଘୁ-ଦିବାକର ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ପୂର୍ବତନ ସେଲ୍ଜ଼ ଟୈକ୍ସ ଆୟୁକ୍ତ ରାଧାମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।
ଏହାସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟାନ୍ୟ ଅଧିକାରୀ ଏବଂ ରଘୁ-ଦିବାକର ସ୍ମୃତି ପରିଷଦର ସଦସ୍ୟମାନେ ଯୋଗଦେଇ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା

