
ଭୁବନେଶ୍ୱର, 03 ମଇ (ହି.ସ.) ଆଜି ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ ଦୁର୍ଗା ମଣ୍ଡପ ଠାରେ ଜିଲ୍ଲା ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ଏହି ଅବସରରେ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖଇରା ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ଅଭିଲିପ୍ସା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାନସ କୁମାର ଦାସଙ୍କ ସମେତ ବିଜେଡି ଛାଡ଼ି ଆସିଥିବା ବହୁ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ ଓ ଶତାଧିକ କର୍ମକର୍ତ୍ତା ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ଶ୍ରୀ ହରିଚନ୍ଦନ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଶିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ହରିଚନ୍ଦନ ମତ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

