Dailyhunt
ବେଆଇନ ବାଲି ମାଫିଆଙ୍କ ରାଜ, ନଦୀ ଶଯ୍ୟା ଚିରି ଲୁଟ୍ ଚାଲିଛି ପ୍ରାକୃତିକ ସମ୍ପଦ, ବିଭାଗୀୟ ଅଧିକାରୀଚୁପ

ବେଆଇନ ବାଲି ମାଫିଆଙ୍କ ରାଜ, ନଦୀ ଶଯ୍ୟା ଚିରି ଲୁଟ୍ ଚାଲିଛି ପ୍ରାକୃତିକ ସମ୍ପଦ, ବିଭାଗୀୟ ଅଧିକାରୀଚୁପ

ମାଲକାନଗିରି, ୩ ମଇ (ହି.ସ.)- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଉଣ୍ଡରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୫୭ ଗ୍ରାମ ନିକଟରେ ଥିବା ନଦୀ ଶଯ୍ୟାରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଚରମ ସୀମାରେ ପହଞ୍ଚି ଥିବା ଅଭିଯୋଗ ହେଉଛି । ପ୍ରଶାସନର ଆଖିରେ ଧୂଳି ଦେଇ ନାକ ତଳେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ବାଲି ଚୋରା ଚାଲାଣ । ନଦୀରୁ ଦିନ ଦ୍ୱିପ୍ରହରରେ ମେସିନ ସାହାଯ୍ୟରେ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବା ବେଳେ ନଦୀର ଅସ୍ତିତ୍ଵ ଏବେ ସଙ୍କଟରେ ।

ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ମାଫିଆମାନେ ନଦୀରୁ ବାଲି ଉଠାଇ ସୁରକ୍ଷିତ ଭାବେ ରଖିବା ପାଇଁ ନଦୀ ନିକଟରେ ଥିବା ବିଭିନ୍ନ ନିଛାଟିଆ ସ୍ଥାନ ଏବଂ ଏମଭି-୫୭ ଗ୍ରାମ ନିକଟରେ ଗଚ୍ଛିତ କରିଥିବା ବେଳେ ସୁଯୋଗ ଦେଖି ରାତି ଅଧରେ ହାଇୱା କିମ୍ବା ଟ୍ରାକ୍ଟର ମାଧ୍ୟମରେ ଚାଲାଣ କରାଯାଉଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏହି ବାଲି କେବଳ ସ୍ଥାନୀୟ ଅଞ୍ଚଳରେ ନୁହେଁ, ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ଚାଲାଣ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ବାଲି ଟ୍ରାକ୍ଟର ଟ୍ରିପ୍ ପିଛା ୩୫୦୦ ରୁ ୪୦୦୦ ରେ ବିକ୍ରି ହେଉଥିବା ବେଳେ ଅଞ୍ଚଳ ବାହାରେ ୫୦୦୦ ରୁ ୫୫୦୦ ଟଙ୍କା ମିଳୁଥିବାରୁ ଏହି ବ୍ୟବସାୟ ବଢ଼ିବାରେ ଲାଗିଛି । ଯାହାକି ମାଫିଆଙ୍କ ସାହସକୁ ସ୍ପଷ୍ଟ କରୁଥିବା ବେଳେ ବେଆଇନ ଭାବେ ବାଲି ଉଠାଯାଉଥିବାରୁ ଜଳ ସଂରକ୍ଷଣ ଓ ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏତେ ବଡ଼ ଦୁର୍ନୀତି ଚାଲିଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କିମ୍ବା ରାଜସ୍ଵ ବିଭାଗ କାହିଁକି ଚୁପ୍ ରହିଛି, ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କଡ଼ା ନିୟମ କରିଥିବା ବେଳେ, କେଉଁ ଆଧାରରେ ଏହି କାରବାର ଚାଲିଛି ତା'ର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ତୁରନ୍ତ ଏହି ବେଆଇନ ବାଲି ଜବତ କରାଯିବା ସହ ସଂପୃକ୍ତ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya