Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଭେନେଜୁଏଲାରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ : ୩୨ ମୃତ, ୭୦୦ ଆହତ

କାରାକାସ୍, ୨୫ ଜୁନ୍ (ହି.ସ.)- ବୁଧବାର ବିଳମ୍ବିତ ରାତିରେ ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗଜ୍ ଗୁରୁବାର କହିଛନ୍ତି ଯେ, ପ୍ରାଥମିକ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ତେବେ ଅଧିକାରୀମାନେ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି କାରଣ ସର୍ବାଧିକ ପ୍ରଭାବିତ ଅଂଚଳରୁ ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ମିଳିନାହିଁ । ଭୂକମ୍ପ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭେନେଜୁଏଲାକୁ ଯଥା ସମ୍ଭାବ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ ଅଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ ଗୁରୁବାର କହିଛନ୍ତି ଯେ, ଭେନେଜୁଏଲାର ଆବଶ୍ୟକତାକୁ ଦେଖି ସାହାଯ୍ୟ କରିବାକୁ ଚୀନ୍ ଯାହା କରିପାରିବ ତାହା କରିବ ।

ଚୀନର ସରକାରୀ ସମାଚାର ସେବା ଶିନ୍ହୁଆ ତଥା ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁ. ଏସ୍. ଜିଓଲୋଜିକାଲ୍ ସର୍ଭେ (ୟୁ. ଏସ୍. ଜି. ଏସ୍.) କହିଛି ଯେ, ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ୩୦ ସମୟରେ (ଭାରତୀୟ ସମୟ ଅନୁସାରେ ଗୁରୁବାର ଭୋର୍ ୪ଟା ବେଳେ) ପ୍ରଥମ ଭୂକମ୍ପ ତୀବ୍ରତା ୭ .୧ ଥିଲା । ଏହାର ଠିକ୍ ୧ ମିନିଟ୍ ପରେ ୭.୫ ତୀବ୍ରତାର ଏକ ଦ୍ୱିତୀୟ ଅଧିକ ଶକ୍ତିଶାଳୀ ଝଟ୍କା ଅନୁଭୂତ ହୋଇଥିଲା । ଉଭୟ ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ କାରାକାସ୍ ଠାରୁ ପ୍ରାୟ ୧୬୦ କିଲୋମିଟର ପଶ୍ଚିମରେ ଥିବା ଉପକୂଳବର୍ତୀ ସହର ମୋରନ୍ ନିକଟରେ ଥିଲା । ଭୂମିକମ୍ପର ପ୍ରଭାବ ଅତ୍ୟନ୍ତ ଭୟଙ୍କର ଥିଲା କାରଣ ଏହାର ଗଭୀରତା ମାତ୍ର ୧୦ କିଲୋମିଟର ଥିଲା ।

ସବୁଠାରୁ ଅଧିକ କ୍ଷୟକ୍ଷତି ଉତର ଭେନେଜୁଏଲାର ଉପକୂଳବର୍ତୀ ରାଜ୍ୟ ଲା ଗୁଏରାରେ ହୋଇଥିଲା, ଯାହାକୁ ସରକାର ବିପର୍ଯ୍ୟୟ ଅଂଚଳ ଘୋଷଣା କରିଛନ୍ତି । ଡଜନ ଡଜନ କୋଠା ଭୁଶୁଡ଼ି ପଡ଼ିଛି ଏବଂ ଅନେକ ଅଂଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ଯାହା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଉପରେ ପ୍ରଭାବ ପକାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya