
ମାଲକାନଗିରି, ୩ ମଇ (ହି.ସ.)- ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଦିବାସୀ ଓ ବିସ୍ତାପିତ ଲୋକଙ୍କ ଅଧିକାର, ଶିକ୍ଷା, ଜୀବିକା ଓ ସମ୍ମାନଜନକ ଜୀବନ ନେଇ ଏକ ବିଶାଳ ସଭା ଆଜି ଆୟୋଜିତ ହୋଇଥିଲା। ଏହି ସଭାରେ ୬ଟି ପଞ୍ଚାୟତ ଓ ୪୦ଟି ଗ୍ରାମର ଦିଦାଇ ଓ ଆଦିବାସୀ ଭାଇଭଉଣୀମାନେ ଯୋଗଦେଇ ନିଜ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ।
ସଭାରେ କମିଟିର ସଭାପତି ଅର୍ଜୁନ ମୁଦୁଲି, ଉପ ସଭାପତି ଅର୍ଜୁନ ଭଜ, ସିସୀ ଚାଣ୍ଡାଲ ମୁଦୁଲି, କୋଷାଧକ୍ଷ ଶୁକ୍ରା ମୁଦୁଲି, ସରପଞ୍ଚ ଲକ୍ଷ୍ମୀ ମୁଦୁଲି, ନାୟକ ସମା ମୁଦୁଲି, ହରାପଦର ବୁଦ୍ରା ପଲାସୀ, ମୁଦୁଲିଗୁଡ଼ାର ବିନୋଦ ମୁଦୁଲି ଓ କାର୍କାଗୁଡ଼ାର ବୁଦା କିର୍ଷାନି ପ୍ରମୁଖ ଉପସ୍ଥିତ ଥିଲେ।
ସଭାରେ ବକ୍ତାମାନେ କହିଥିଲେ ଯେ, ଦିଦାଇ ଓ ବଣ୍ଡା ସମ୍ପ୍ରଦାୟ ମାଲକାନଗିରିର ମୂଳ ନିବାସୀ ହୋଇଥିବା ସତ୍ତ୍ୱେ ଆଜି ସେମାନେ ନିଜ ଅଧିକାରରୁ ବଞ୍ଚିତ ଅଛନ୍ତି। ଶିକ୍ଷାରୁ ଦୂରେ ରହିବା ଓ ମୌଳିକ ସୁବିଧାର ଅଭାବରୁ ଆଜି ମଧ୍ୟ ଅନେକ ଗ୍ରାମର ଲୋକ ପଛରେ ପଡ଼ି ରହିଛନ୍ତି। ଜଳ, ଜଙ୍ଗଲ ଓ ଜମି ଉପରେ ନିର୍ଭର କରି ବଞ୍ଚୁଥିବା ମୂଳ ନିବାସୀମାନେ ଆଜି ନିଜ ଅଧିକାର ପାଇଁ ସଂଘର୍ଷ କରୁଥିବା କଥା ମଧ୍ୟ ସଭାରେ ଉଲ୍ଲେଖ କରାଯାଇଥିଲା।
ସଭାରେ ବିସ୍ଥାପିତ ଗ୍ରାମଗୁଡ଼ିକ ପାଇଁ ଉଚ୍ଚ ଶିକ୍ଷା, ଆବାସିକ ଶିକ୍ଷା, ସମସ୍ତ ପରିବାରକୁ ଚାଷ ଜମି, ମାଗଣା ବିଦ୍ୟୁତ ସୁବିଧା, ବସ୍ ବ୍ୟବସ୍ଥା, କଲେଜ୍ରେ ଆବାସିକ ପଢ଼ାଶୁଣା, ବିଶେଷ ପରୀକ୍ଷା ପାଇଁ ଆବାସିକ ସୁବିଧା, ଉନ୍ନତ ଚିକିତ୍ସା ଓ କୌଶଳ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି କରାଯାଇଥିଲା। ଏହାସହିତ ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟିର ଲକ୍ଷ୍ୟ ଓ ଆଗାମୀ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଭଗବାନ୍ ବିର୍ଷା ମୁଣ୍ଡାଙ୍କ ଜୀବନୀ, ଆଦିବାସୀ ସମାଜ ପାଇଁ ତାଙ୍କ ସଂଘର୍ଷ, ସେବା ଓ ଜୀବନ ସମର୍ପଣକୁ ସ୍ମରଣ କରାଯାଇ ସେମାନଙ୍କ ଆଦର୍ଶରେ ଆଗକୁ ବଢ଼ିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।
ସଭାରେ ପଦ୍ମପାଙ୍ଗୀ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଆଜି ସମସ୍ତେ ପଞ୍ଜୀକୃତ ହୋଇଛନ୍ତି ଏବଂ ମିଳିମିଶି ଆଗକୁ ବଢ଼ିବା ସମୟ ଆସିଛି। ଆଗାମୀ ଦିନରେ ମାଲକାନଗିରି ଓ ବାଲିମେଳା ସହ ସମସ୍ତ ୭ଟି ବ୍ଲକ୍ ରେ କମିଟି ଗଠନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ସେ ଆହୁରି କହିଥିଲେ ଯେ, ମହିଳାମାନଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଲୋନ୍ ରେ ୭୫ ପ୍ରତିଶତ ଛାଡ଼ ରହିଛି। ଗାଈ, ଘୁଷୁରି, ଛେଳି, କୁକୁଡ଼ା, ମାଛ ଓ ଚିଙ୍ଗୁଡ଼ି ଚାଷ ସହ ଜଙ୍ଗଲରୁ ସଂଗୃହୀତ ସାମଗ୍ରୀର ଉଚିତ ମୂଲ୍ୟରେ ବିକ୍ରୟ ବ୍ୟବସ୍ଥା ବିଷୟରେ ମଧ୍ୟ ସଚେତନ କରାଯାଇଥିଲା।
ସଭାରେ ବକ୍ତାମାନେ କହିଥିଲେ ଯେ, ଆଜି ପଞ୍ଚାୟତର ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ, ଜିଲ୍ଲା ପରିଷଦ ସଭାପତି, ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ପର୍ଯ୍ୟନ୍ତ ଅନେକ ନେତୃତ୍ଵ ଅନୁସୂଚୀତ ଜନଜାତି ସମାଜରୁ ଆସିଥିବାରୁ ଆଦିବାସୀ ସମାଜର ଉନ୍ନତି ଏବେ ନିଜ ହାତରେ ଅଛି। ଏହିପରି ସମୟରେ ସମସ୍ତେ ଏକତ୍ରିତ ହୋଇ ଏକ ନୂଆ ଓ ସମୃଦ୍ଧ ମାଲକାନଗିରି ଗଢ଼ିବାକୁ ସଭାରେ ଆହ୍ଵାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

