Dailyhunt

ବୁଚାମୁଣ୍ଡା-ସିରିଆପାଲି ଜଙ୍ଗଲରେ ଭୟାବହ ନିଆଁ, ବିଦ୍ୟୁତ୍ କେବୁଲ ପୋଡ଼ି ୨୪ ଘଣ୍ଟା ବ୍ୟାଘାତ

ଝାରସୁଗୁଡ଼ା, ୩୦ ଏପ୍ରିଲ୍ (ହି.ସ.)- କୋଲାବିରା ଫରେଷ୍ଟ ରେଞ୍ଜ ଅଧୀନସ୍ଥ ସିରିଆପାଲି ବନାଞ୍ଚଳ ଓ ବୁଚାମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ବୁଧବାର ସକାଳୁ ଲାଗିଥିବା ଜଙ୍ଗଲ ନିଆଁ ଭୟାବହ ରୂପ ଧାରଣ କରିଛି। ଅଭିଯୋଗ ଅନୁଯାୟୀ, କେହି ଜଙ୍ଗଲରେ ନିଆଁ ଲଗାଇ ଦେବା ପରେ ଏହା ଧୀରେ ଧୀରେ ବ୍ୟାପି ସିରିଆପାଲି ବଡଖଳିଆ ସଂରକ୍ଷିତ ଜଙ୍ଗଳ ପର୍ଯ୍ୟନ୍ତ ପହଞ୍ଚି ଉଭୟ ଜଙ୍ଗଳକୁ ଛାରଖାର କରିଦେଇଛି।

ନିଆଁରେ ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ୬୪ କେଭି ଟ୍ରାନ୍ସଫର୍ମର ପାଖରେ ଥିବା ବିଦ୍ୟୁତ୍ କେବୁଲ ପ୍ରମାଦବଶତଃ ପୋଡ଼ି ଯାଇଛି। ଏହାର ପରିଣତିରୁ ରାମକୁମାର ଓ ବୁଚାମୁଣ୍ଡା ଅଞ୍ଚଳରେ ୨୪ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବ୍ୟାଘାତ ହୋଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଟ୍ରାନ୍ସଫର୍ମରଟି ଝାରସୁଗୁଡ଼ା ପାହାଡ଼ି ବିଦ୍ୟୁତ୍ ବିଭାଗ ସେକ୍ସନ ଅଧୀନରେ ଥିବା ଜଣାପଡ଼ିଛି।

ଜଙ୍ଗଲରେ ନିଆଁ ଲାଗିବାର କାରଣ ନେଇ ଦୁଇ ବିଭାଗଙ୍କ ମଧ୍ୟରେ ବିରୋଧାଭାସ ଦେଖାଦେଇଛି। ବନ ବିଭାଗ ଦାବି କରୁଛି ଯେ ଟ୍ରାନ୍ସଫର୍ମରରେ ସଟସର୍କିଟ୍ ହେବାରୁ ନିଆଁ ଜଙ୍ଗଲକୁ ବ୍ୟାପିଛି। କିନ୍ତୁ, ବିଦ୍ୟୁତ୍ ବିଭାଗ ସେକ୍ସନ ଅଫିସର ଏହାକୁ ସଂପୂର୍ଣ୍ଣ ଅସ୍ଵୀକାର କରି ଜଙ୍ଗଲରେ ଲାଗିଥିବା ନିଆଁରେ ବିଦ୍ୟୁତ୍ କେବୁଲ ପୋଡ଼ିଯାଇଥିବା କହିଛନ୍ତି।

ଯାହା କିଛି ହେଉ, ଏହି ଅଗ୍ନିକାଣ୍ଡ ଘଟଣାରେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ- ଉଭୟଙ୍କୁ ବ୍ୟାପକ କ୍ଷତି ହୋଇଛି। ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ତଦନ୍ତ ଓ ପୁନର୍ବାସ ପ୍ରୟାସ ଜାରି ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya