Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚାନୁଟ୍ ମାଲ ଗାଁର କାଜୁ ବଗିଚାରୁ ଦନ୍ତା ହାତୀର ମୃତଦେହ ଠାବ

ଚାନୁଟ୍ ମାଲ ଗାଁର କାଜୁ ବଗିଚାରୁ ଦନ୍ତା ହାତୀର ମୃତଦେହ ଠାବ

ବଲାଙ୍ଗିର, ୩୦ ଏପ୍ରିଲ୍ (ହି.ସ.)- କାଜୁ ବଗିଚାରୁ ଦନ୍ତା ହାତୀର ମୃତଦେହ ଠାବ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଡିଘାଟ ଫରେଷ୍ଟ ବିଟ୍ ଅଞ୍ଚଳରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି। ଗୁରୁବାର ସକାଳେ ଚାନୁଟ୍ ମାଲ ଗାଁର ସଞ୍ଜୀବ ପୁଟେଲଙ୍କ କାଜୁ ବଗିଚାରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀର ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଚାନୁଟ୍ ମାଲ ଗ୍ରାମର ସଞ୍ଜୀବ ପୁଟେଲଙ୍କ କାଜୁ ବଗିଚାରେ ଦନ୍ତା ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବନ ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ, ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ହାତୀଟିର ମୃତ୍ୟୁ ଘଟିଛି। ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇଙ୍କ କହିବା କଥା ଯେ, ବଗିଚା ଭିତରେ ଯାଇଥିବା ଚାଷୀଙ୍କ ଚାଷ ପାଇଁ ଉଦ୍ଦିଷ୍ଟ ବୋର୍ ୱେଲ୍ କୁ ସଂଯୋଗ କରୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ପ୍ରାଣହାନି ଘଟିଛି । ଅନ୍ୟପଟେ ମୁରିବାହାଲ ବିଦ୍ୟୁତ୍ ବିଭାଗର ଅଧିକାରୀ ମହମ୍ମଦ ଜୁନେଦ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ।ବିଭାଗୀୟ ଅଧିକାରୀଙ୍କ ମତରେ, ସମ୍ପୃକ୍ତ ଅଞ୍ଚଳରେ ଗତ ରାତିରେ ବିଦ୍ୟୁତ୍ ସରବରାହ ବନ୍ଦ ଥିଲା। ହାତୀର ମୃତ୍ୟୁ ଅନ୍ୟ କୌଣସି କାରଣରୁ କିମ୍ବା ଅସୁସ୍ଥତା ଯୋଗୁଁ ହୋଇଥାଇପାରେ ବୋଲି ଜୁନେଦ କହିଛନ୍ତି। ବର୍ତ୍ତମାନ ଦନ୍ତାର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଉଭୟ ବିଭାଗ ଅପେକ୍ଷା କରିଛନ୍ତି। ଏହି ଘଟଣାକୁ ନେଇ ପରିବେଶବିତ୍ ଓ ସ୍ଥାନୀୟ ବାସିନ୍ଦା ଗଭୀର ଉଦବେଗ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya