Dailyhunt
ଚିତ୍ରାମୁଣ୍ଡା ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ପ୍ରେମ ନିବେଦନ ପରେ ବିଫଳ ହେବାରୁ ହତ୍ୟା

ଚିତ୍ରାମୁଣ୍ଡା ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ପ୍ରେମ ନିବେଦନ ପରେ ବିଫଳ ହେବାରୁ ହତ୍ୟା

ବଲାଙ୍ଗୀର, ୦୫ ମଇ(ହି.ସ.) - ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଚିତ୍ରାମୁଣ୍ଡା ଗ୍ରାମର ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଉପରୁ ଆଜି ପରଦା ହଟାଇଛି ମୁରିବାହାଲ ପୋଲିସ। ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଏକତରଫା ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ ହେବାରୁ ସଂପୃକ୍ତ ମହିଳାଙ୍କୁ ଅଭିଯୁକ୍ତ ପଥରରେ ଛେଚି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।

ଏହି ମାମଲାରେ ପୋଲିସ ଅଭିଯୁକ୍ତ ସମ୍ପର୍କୀୟ ଦେଢ଼ଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ମେ' ୨ ତାରିଖ ଦିନ ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗ୍ରାମର ରଞ୍ଜିତା(ରଞ୍ଜୁ) ସାହୁ ନିଜର କପା ଚାଷ ଜମିକୁ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି ପରେ ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା ଏବଂ ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ବଙ୍ଗୋମୁଣ୍ଡା-ଟିଟିଲାଗଡ଼ ୫୯ ନଂ. ଜାତୀୟ ରାଜପଥ ରାସ୍ତା ଅବରୋଧ କରିଥିଲେ।ଏନେଇ ଘଟଣା ଦିନ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଭ୍ରମରରାଜ ସାହୁ ମୁରିବାହାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ମୁରିବାହାଲ ପୋଲିସ କେସ୍ ନଂ-୮୩/୨୦୨୬ ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବଲାଙ୍ଗୀରରୁ ସାଇଂଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଦଳର ସହାୟତା ନିଆଯାଇଥିଲା। କଂଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଘଟଣାରେ ସଂପୃକ୍ତି ସନ୍ଦେହରେ ଚିତ୍ରାମୁଣ୍ଡା ଗାଁର ମୃତକ ମହିଳାଙ୍କ ସମ୍ପର୍କୀୟ ଦେଢ଼ଶୁର ଭଜ ସାହୁ(୫୩)କୁ ଭବାନୀପାଟଣାରୁ ଗିରଫ କରି ମୁରିବାହାଲ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ।

ଅଭିଯୁକ୍ତ ଭଜ ସାହୁ ଗତ ଦୁଇ ବର୍ଷ ଧରି ମୃତ ରଞ୍ଜୁଙ୍କୁ ଏକତରଫା ଭଲ ପାଉଥିଲେ। ରଞ୍ଜୁଙ୍କ ସ୍ୱାମୀ ୫ ବର୍ଷରୁ ଅଧିକ ସମୟ ଧରି ବାହାରେ ରହୁଥିବାବେଳେ ଅଭିଯୁକ୍ତ ତାଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ମାତ୍ର ରଞ୍ଜୁ ଏଥିରେ ସମ୍ମତି ନଦେବାରୁ କ୍ରୋଧିତ ହୋଇ ଭଜ ସାହୁ କପା କ୍ଷେତରେ ଏକ ଧାରୁଆ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସେ ମୃତଦେହକୁ ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି କାଦୁଅ ଓ କପା ଗଛରେ ଘୋଡ଼ାଇ ଦେଇଥିଲେ। ଏହି ଘଟଣାରେ ଆଜି ପୋଲିସ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏକ୍ସନ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ପଥର, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଜୈବିକ ନମୁନା ଜବତ କରିଥିବା ନେଇ ଆଜି ମୁରିବାହାଲ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ସୁଚନା ଦେଇଛନ୍ତି,ଏହି ତଦନ୍ତରେ ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା, ଏସ୍ଆଇ ଅଭୟ ପ୍ରଧାନ, ଏସ୍ଆଇ ପି.କେ. ପ୍ରଧାନ, ଏସ୍ଆଇ ଏସ୍.ଡି. ସାହୁ ଏବଂ ହାବିଲଦାର ଗୁପ୍ତବାସ ମାଝୀ ପ୍ରମୁଖ ସାମିଲ ଥିଲେ। ତେବେ ଗିରଫ ଅଭିଯୁକ୍ତକୁ ସାମ୍ବାଦିକ ସମ୍ମିଳନୀ ପରେ ଆଜି ଡାକ୍ତରୀ ପରୀକ୍ଷା କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya