Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡକାୟତି ଯୋଜନା ପଣ୍ଡ : ପୋଲିସ ଏନକାଉଣ୍ଟରରେ ଜୟ ଚୌହାନ ଆହତ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଡକାୟତି ଯୋଜନା ପଣ୍ଡ : ପୋଲିସ ଏନକାଉଣ୍ଟରରେ ଜୟ ଚୌହାନ ଆହତ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଝାରସୁଗୁଡା, ୩୦ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ରେଙ୍ଗାଲି ଥାନା ଅଞ୍ଚଳରେ ସକ୍ରିୟ ଥିବା ଏକ ସଶସ୍ତ୍ର ଡକାୟତି ଗ୍ୟାଙ୍ଗର ଯୋଜନାକୁ ପଣ୍ଡ କରିବା ସହ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଏହି ଅପରେସନ ସମୟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗ୍ୟାଙ୍ଗର ସଦସ୍ୟ ଜୟ ଚୌହାନ (୩୦) ଆହତ ହୋଇଛି।

ଶନିବାର ପୂର୍ବାହ୍ନରେ ଝାରସୁଗୁଡ଼ା ପୋଲିସ ମୁଖ୍ୟାଳୟରେ ଆୟୋଜିତ ପ୍ରେସମିଟ୍ ରେ ଏସପି ଗୁଣ୍ଡାଳା ରେଡ୍ଡୀ ରାଘବେନ୍ଦ୍ର ଏହି ଅପରେସନ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ।

ଏସପିଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପୋଲିସକୁ ଗୁପ୍ତ ସୂତ୍ରରୁ ଖବର ମିଳିଥିଲା ଯେ, ଏକ ସଶସ୍ତ୍ର ଡକାୟତି ଦଳ ରେଙ୍ଗାଲି ଅଞ୍ଚଳରେ ପ୍ରବେଶ କରି ଏକ ଆର୍ଥିକ ପ୍ରତିଷ୍ଠାନ ଉପରେ ଡକାୟତି କରିବାକୁ ଯୋଜନା କରୁଛି। ଏହାପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଗ୍ୟାଙ୍ଗ ଉପରେ ନଜର ରଖାଯାଇଥିଲା। ଅପରେସନ ବେଳେ ଲଖନପୁର ବ୍ଲକ କଦମଘାଟ ମା' ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ ଏକ ସନ୍ଦିଗ୍ଧ ପିକଅପ୍ ଭ୍ୟାନକୁ ପୋଲିସ ଚିହ୍ନଟ କରିଥିଲା। ପୋଲିସ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଅପରାଧୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଗାଡ଼ିର ପଛ ଭାଗକୁ ଲକ୍ଷ୍ୟ କରି ନିୟନ୍ତ୍ରିତ ଗୁଳି ଚାଳନା କରାଯାଇଥିଲା। ଏହି ସମୟରେ ଜୟ ଚୌହାନ ପୋଲିସ ଦଳ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଆତ୍ମସମର୍ପଣ କରିବାକୁ ସତର୍କ କରାଯାଇଥିଲେ ମଧ୍ୟ ସେ ଗୁଳି ଚଳାଇବା ଜାରି ରଖିବାରୁ ପୋଲିସ ଆତ୍ମରକ୍ଷାର୍ଥେ ପାଲଟା ଗୁଳି ଚଳାଇଥିଲା। ଫଳରେ ଜୟର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ତୁରନ୍ତ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ ୪ ଜଣ ଅପରାଧୀ ଜଙ୍ଗଲକୁ ଫେରାର ହୋଇଥିଲେ। ତେବେ ପୋଲିସର ବ୍ୟାପକ କମ୍ବିଂ ଅପରେସନ ଓ ନାକାବନ୍ଦୀ ଫଳରେ ସେମାନଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଜୟ ଚୌହାନ (୩୦), କରନ ଚୌହାନ (୨୮), ବିଶ୍ୱଜିତ ନାୟକ (୨୭), ସନ୍ତୋଷ ମହାତୋ ଓରଫ ବାଡେ (୨୮) ଏବଂ ରୋହିତ କୁମାର ସିଂ ଓରଫ ରବି ଓରଫ ବାରୁଦ (୩୦)।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ପେସାଦାର ଅପରାଧୀ ଏବଂ ଏମାନଙ୍କ ନାମରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ଚୋରି, ଅପରାଧିକ ଧମକ ଓ ଆର୍ମସ ଆକ୍ଟ ଅଧୀନରେ ୧୦ରୁ ଅଧିକ ମାମଲା ରହିଛି। ପୋଲିସ ଘଟଣାସ୍ଥଳରୁ ଏକ ଦେଶୀ ପିସ୍ତଲ, ଦୁଇଟି ଖାଲି କାର୍ଟିଜ୍, ଏକ ଭୁଜାଲି, ଏକ ନକଲି ବନ୍ଧୁକ ଓ ଅପରାଧରେ ବ୍ୟବହୃତ ପିକଅପ୍ ଭ୍ୟାନ୍ ଜବତ କରିଛି। ଏହି ଘଟଣାରେ ରେଙ୍ଗାଲି ଥାନାରେ ଭାରତୀୟ ନ୍ୟାୟ ସଂହିତା ଓ ଆର୍ମସ ଆକ୍ଟ ଅଧୀନରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ଗ୍ୟାଙ୍ଗର ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ସହ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଖୋଳତାଡ଼ ଚଳାଇଛି।

ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଏହି ସଫଳ ଅପରେସନକୁ ପ୍ରଶଂସା କରିଥିବା ବେଳେ, ସଂଗଠିତ ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ଝାରସୁଗୁଡ଼ା ପୋଲିସ ସଦା ପ୍ରତିବଦ୍ଧ ବୋଲି ଏସପି ଜି.ଆର. ରେଡ୍ଡୀ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya