ଯାଜପୁର, ୪ ମଇ (ହି.ସ.)- ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡା ବେହେରା ଟାଙ୍କୀ ଛକ ନିକଟରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ପଛରେ ଧକ୍କା ଦେଇଛି ବୋଲେରୋ । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।
ସୂଚନା ଅନୁସାରେ, ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଏମାନେ କେନ୍ଦୁଝରରୁ ବୋଲେରୋ ଯୋଗେ ଫେରୁଥିଲେ । ୫୩ ନମ୍ବର ଜାତୀୟ ରାଜପଥର ବରଡା ଛକ ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇୱା ପଛରେ ଜୋରଦାର୍ ଧକ୍କା ଦେଇଥିଲା ବୋଲେରୋ । ଯାହା ଫଳରେ ଗାଡିରେ ଥିବା ଯାତ୍ରୀ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକ ଦୁର୍ଘଟଣା ସମ୍ପର୍କରେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଭୟ ଟିମ୍ ଘଟଣାସ୍ଥଳରେ ପହଂଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ପାଂଚ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଚାଳକ ସମେତ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ଯୁବତୀ ଏବଂ ଜଣେ ପୁରୁଷ ରହିଛନ୍ତି । ମୃତାହତମାନେ ସମସ୍ତେ ବଡଚଣା ଅଂଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଯାଜପୁର ଏସଡିପିଓ, ବଡଚଣା ପୋଲିସ, ଜେନାପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
