Dailyhunt
ହକ୍ ପାଇଁ ରାଜରାସ୍ତାରେ ଆନନ୍ଦପୁରବାସୀ, ୨୦ ଦିନର ମହଲତ ଦେଲା ପ୍ରଶାସନ

ହକ୍ ପାଇଁ ରାଜରାସ୍ତାରେ ଆନନ୍ଦପୁରବାସୀ, ୨୦ ଦିନର ମହଲତ ଦେଲା ପ୍ରଶାସନ

ଭଦ୍ରକ, ୫ ମଇ (ହି.ସ.) - ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତି ଓ ଚରମ ଅବହେଳା ବିରୋଧରେ ଧାମନଗର ବ୍ଲକର ଖଡ଼ିପଦା ଛକରେ ବିଶାଳ ପ୍ରତିବାଦ ଦେଖିବାକୁ ମିଳିଥିଲା। ଆନନ୍ଦପୁର ପଂଚାୟତକୁ 'ଲକ୍ଷ୍ମୀ ବସ୍' ସେବାରୁ ବଂଚିତ ରଖାଯିବା ପ୍ରତିବାଦରେ ଶହ ଶହ ପଂଚାୟତବାସୀ ସକାଳୁ ରାସ୍ତା ଅବରୋଧ କରି ପ୍ରଶାସନ ବିରୋଧରେ ଗର୍ଜିଛନ୍ତି। ଯୁବନେତା ସଞ୍ଜୟ ମିଶ୍ର ଓ ଅରୁଣ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନ ଏତେ ବ୍ୟାପକ ଥିଲା ଯେ, ପଧାନି ଓ ଦୋବଲ ଦେଇ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସକୁ ଆନ୍ଦୋଳନକାରୀମାନେ ଅଟକାଇ ଦେଇଥିଲେ।

ଘଟଣାର ଗମ୍ଭୀରତା ଦେଖି ଧାମନଗର ବିଡିଓ ବନବିହାରୀ ଦିନ୍ଦା ଟେଲିଫୋନ ଯୋଗେ ଆନ୍ଦୋଳନକାରୀଙ୍କ ସହ ସମ୍ପର୍କ କରିଥିଲେ। ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଓଏସଆରଟିସି ବ୍ଲକ ସୁପରଭାଇଜର ଘଟଣାସ୍ଥଳରେ ପହଂଚି ଆସନ୍ତା ୨୦ ଦିନ ମଧ୍ୟରେ ଧାମନଗର-ଆନନ୍ଦପୁର ଭାୟା ଖଡ଼ିପଦା ରୁଟରେ ବସ୍ ଚଳାଚଳ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ପୁର୍ବ ସରକାର ଗ୍ରାମାଂଚଳର ପରିବହନ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ 'ଲକ୍ଷ୍ମୀ ବସ୍' ଯୋଜନା ମାଧ୍ୟମରେ ମାତ୍ର ୫ ଟଙ୍କାରେ ପଂଚାୟତରୁ ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟକୁ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଥିଲେ। ଧାମନଗର ରୁ ଆନନ୍ଦପୁର ହୋଇ ସୋହଡ଼ା ଓ ଖଡ଼ିପଦା ଦେଇ ବସ୍ ଚଳାଚଳ ପାଇଁ ରୁଟ୍ ଚୂଡ଼ାନ୍ତ ହୋଇଥିଲା, ଯାହାଦ୍ୱାରା ବାଲିପାଟଣା, ପାହାଡ଼ପୁର, ମାନଲାପୁର ଓ ଉତେଇପୁର ଗ୍ରାମର ହଜାର ହଜାର ଲୋକ ଉପକୃତ ହୋଇଥାନ୍ତେ। ମାତ୍ର ଦୀର୍ଘ ଦିନ ଏହି ଦାବି କେବଳ କାଗଜପତ୍ରରେ ସୀମିତ ରହିଛି। ଗ୍ରାମବାସୀ ବାରମ୍ବାର ଭଦ୍ରକ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଗୁହାରି କରିଥିଲେ ସୁଦ୍ଧା କେବଳ ପ୍ରତିଶ୍ରୁତି ମିଳିଥିଲା। ଗତ ଏପ୍ରିଲ ୨୭ ତାରିଖରେ ଜିଲ୍ଲାପାଳ ଓ ଏସପି ଙ୍କୁ ଭେଟି ମେ ୫ ସୁଦ୍ଧା ବସ୍ ଚଳାଚଳ ନହେଲେ ଆନ୍ଦୋଳନ ପାଇଁ ଶେଷ ଚେତାବନୀ ଦିଆଯାଇଥିଲା। ପ୍ରଶାସନର ନିଦ ନଭାଙ୍ଗିବାରୁ ଆଜି ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ।ଆଜିର ଏହି ବିଶାଳ ପ୍ରତିବାଦ ସଭାରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧାରଣ ଜନତା ସାମିଲ ହୋଇଥିଲେ। ସରୋଜ ଖୁଂଟିଆ, ରାଜେଶ ମିଶ୍ର, ସୁଦାମ ବାରିକ, ଶ୍ରୀତମ ଖୁଂଟିଆ, ଜ୍ୟୋତି ନାରାୟଣ ପୋଥାଳ, ସାଗର ମିଶ୍ର, ବିଷ୍ଣୁ ଚରଣ ଦାସ, ଧନେଶ୍ୱର ସେଠୀ, ଧୀରେନ୍ଦ୍ର ଆନ୍ଦିଆ, ପ୍ରକାଶ ଦାସ, ଶୁକଦେବ ଜେନା ଓ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରଶାସନିକ ଅବହେଳାକୁ ତୀବ୍ର ସମାଲୋଚନା କରିଥିଲେ। ୨୦ ଦିନ ମଧ୍ୟରେ ଯଦି ବସ୍ ଚକା ନଗଡ଼େ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya