
କେନ୍ଦ୍ରାପଡ଼ା, ୦୫ ମଇ(ହି.ସ.) - କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଲପୁର ପଂଚାୟତ ହୁରାସାହି ଗ୍ରାମରେ ଥିବା ହୁରାସାହି ହାଇସ୍କୁଲର ଖେଳ ପଡ଼ିଆର କାମ ସମ୍ପୂର୍ଣ୍ଣ କରିବାକୁ ହୁରାସାହି ଦୁର୍ଗାପୂଜା କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ହାଇସ୍କୁଲ୍ ପଡ଼ିଆ ଖାଲଖମାରେ ଭର୍ତି ହୋଇଥିବାରୁ ଛାତ୍ର ଛାତ୍ରୀମାନଙ୍କ ପାଇଁ ଏବଂ ବିଭିନ୍ନ ଶାରିରୀକ ପରୀକ୍ଷା, କ୍ରୀଡା ଓ ନିଯୁକ୍ତି ପ୍ରସ୍ତୁତି କରୁଥିବା ଯୁବକମାନଙ୍କ ପାଇଁ ଏହା ଗୋଟିଏ ଖେଳ ପଡ଼ିଆ ଅଛି।
ଖେଳ ପଡ଼ିଆଟି ସମ୍ପୂର୍ଣ୍ଣ ଖାଲଖମାରେ ଭର୍ତି ହୋଇଥିବାରୁ ଛାତ୍ରଛାତ୍ରୀମାନେ ଖେଳକୁଦ କରିପାରୁ ନାହାଁନ୍ତି। ଏହାକୁ ମରାମତି କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ନିଜ ଚେଷ୍ଟାରେ ସମତଳ କରିବା ପାଇଁ ବାଲି ମାଟି ପକାଇଥିଲେ। ମାତ୍ର ଅଧିକ ବାଲି ମାଟି ପକାଇବା ପାଇଁ ଆବଶ୍ୟକ ଥିବାରୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ସହଯୋଗ କାମନା କରି ୮ଦିନ ଭିତରେ ଅନୁମତି ପ୍ରଦାନ କଲେ ଗ୍ରାମବାସୀ ଅବଶିଷ୍ଟ ସମତଳ କରିବା କାମ କରିପାରିବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ କମିଟିର ସମ୍ପାଦକ ରଘୁନାଥ ବସନ୍ତିଆ, ସଭାପତି କୈଳାସ ବିହାରୀ ମନ୍ତ୍ରୀ, ଯୁଧିଷ୍ଠିର ସ୍ୱାଇଁ, ବଂଶୀଧର ସାହୁ, ସୁନାକର ବିଶ୍ୱାଳ, ରଘୁନାଥ ରାଉତ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ଶିଶିରକାନ୍ତ ସେଠୀ, ରତ୍ନାକର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି

