Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜମି ଅଧିଗ୍ରହଣ ପୂର୍ବରୁ ପାଇପଲାଇନ କାମ ଅଭିଯୋଗ : ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଜମି ମାଲିକ

ଜମି ଅଧିଗ୍ରହଣ ପୂର୍ବରୁ ପାଇପଲାଇନ କାମ ଅଭିଯୋଗ : ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଜମି ମାଲିକ

ଝାରସୁଗୁଡ଼ା, ୩ ଅଗଷ୍ଟ (ହି.ସ.)- ଆଇନଗତ ଜମି ଅଧିଗ୍ରହଣ ଓ ଦଖଲ ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବା ପୂର୍ବରୁ ଏନ୍ଏଲସି ତାଲାବିରା ଥର୍ମାଲ ପାୱାର ପ୍ରକଳ୍ପ ପାଇଁ ପାଇପଲାଇନ ନିର୍ମାଣ କାମ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ହିର୍ମା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଜମିମାଲିକ ସୁଧାଂଶୁ ବିରତିଆ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦାଖଲ କରି ହସ୍ତକ୍ଷେପ ଲୋଡ଼ିଛନ୍ତି।

ଦାବିପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ଏନ୍ଏଲ୍ସି ତାଲାବିରା ପ୍ରକଳ୍ପର ନଦୀକୂଳ ପାଇପଲାଇନ ନିର୍ମାଣ ପାଇଁ ତାଙ୍କ ବ୍ୟକ୍ତିଗତ ମାଲିକାନାର ଜମିରେ ବେଆଇନ ଭାବେ ପ୍ରବେଶ କରି କାମ କରିବାକୁ ଉଦ୍ୟମ ହେଉଛି। ସମ୍ପୃକ୍ତ ପାଇପଲାଇନ ପାଇଁ ଆବଶ୍ୟକ ପ୍ରାୟ ୫୦୦ ମିଟର ବ୍ୟକ୍ତିଗତ ଜମିର ଅଧିଗ୍ରହଣ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା କେବଳ ଧାରା ୧୯(୧) ବିଜ୍ଞପ୍ତି ସ୍ତରରେ ରହିଥିବା ବେଳେ କ୍ଷତିପୂରଣ ଧାର୍ଯ୍ୟ କିମ୍ବା ପ୍ରଦାନ କରାଯାଇନାହିଁ। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏନ୍ଏଲ୍ସିକୁ ଆନୁଷ୍ଠାନିକ ଭାବେ ଜମି ଦଖଲ ହସ୍ତାନ୍ତର କରାଯାଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଜମି ଉପରେ କୌଣସି ଆଇନଗତ ଅଧିକାର ନଥିଲେ ମଧ୍ୟ ଭେଲ୍ କମ୍ପାନୀ ଏହାର ସବ୍-କଣ୍ଟ୍ରାକ୍ଟରଙ୍କୁ କାର୍ଯ୍ୟାଦେଶ ଜାରି କରିଛି। ଏହାପରେ ଠିକା ସଂସ୍ଥାର କର୍ମଚାରୀମାନେ ଜମିରେ ପ୍ରବେଶ କରି ଯନ୍ତ୍ର ସାହାଯ୍ୟରେ ଖନନ କାର୍ଯ୍ୟ ଓ ପାଇପଲାଇନ ବିଛାଇବା ପାଇଁ ଉଦ୍ୟମ କରୁଛନ୍ତି, ଯାହା ଆର୍ଏଫ୍ସିଟିଏଲ୍ଏଆର୍ଆର୍ ଆଇନ, ୨୦୧୩ର ଉଲ୍ଲଂଘନ ବୋଲି ସେ ଦାବି କରିଛନ୍ତି। ଏହି ପରିସ୍ଥିତିରେ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଏନ୍ଏଲ୍ସି ଓ ଭେଲ୍ କୁ ବିବାଦୀୟ ଜମିରେ ସମସ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ନିଷେଧାଦେଶ ଜାରି କରିବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ଓ କ୍ଷତିପୂରଣ ପ୍ରଦାନ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟକୁ ଅନୁମତି ନ ଦେବାକୁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଛନ୍ତି।

ଏ ସମ୍ପର୍କରେ ପାଇପଲାଇନ କାର୍ଯ୍ୟ ତଦାରଖ କରୁଥିବା ଭେଲ୍ କମ୍ପାନୀର ପିଡି ସୁବ୍ରତ ଅଦକଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ସେ କହିଛନ୍ତି, "ମୁଁ କିଛି ଦିନ ପାଇଁ ଓଡ଼ିଶା ବାହାରେ ଥିଲି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ବର୍ତ୍ତମାନ ପାଇପଲାଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି।"

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya