Dailyhunt

ଜନଗଣନାରେ ଓବିସି ପାଇଁ ସ୍ୱତନ୍ତ୍ର କଲମ ଦାବି

ଝାରସୁଗୁଡ଼ା, ୦୫ ମେ (ହି.ସ.) - ଆସନ୍ତା ଜନଗଣନାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସ୍ୱତନ୍ତ୍ର କଲମ ସମ୍ମିଳନ ଦାବିରେ କୋଲାବିରା ବ୍ଲକରେ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷିତରେ ସୋମବାର ସକାଳ ୯ଟାରେ କୋଲାବିରା ଓବିସି ମଂଚ ପକ୍ଷରୁ ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି।

ମଂଚର ଦାବି ଅନୁଯାୟୀ, ଦେଶର ସର୍ବବୃହତ ବର୍ଗ ଭାବେ ପରିଚିତ ଓବିସି ସମାଜ ସଠିକ ପରିସଂଖ୍ୟାନ ଅଭାବରୁ ସାମାଜିକ ଓ ଶିକ୍ଷାଗତ କ୍ଷେତ୍ରରେ ନିଜର ନ୍ୟାୟସଂଗତ ଅଧିକାରରୁ ବଂଚିତ ହେଉଛନ୍ତି। ଜନଗଣନା ପ୍ରଶ୍ନାବଳୀର ୧୨ କିମ୍ବା ୨୭ ନମ୍ବର ଖାନାରେ ଓବିସିଙ୍କ ଗଣନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ଏହାକୁ ସଂଶୋଧନ କରିବାକୁ ଦୃଢ଼ ଦାବି ଉଠିଛି। ସାମାଜିକ ନ୍ୟାୟ ଓ ସମାନୁପାତିକ ପ୍ରତିନିଧିତ୍ୱ ପାଇଁ ଏହି ତଥ୍ୟ ଅତ୍ୟନ୍ତ ଜରୁରୀ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ହୋଇଛି।

କୋଲାବିରା ଓବିସି ମଂଚ ସଭାପତି ସିରଜୁ କୁମାର ଖମାରୀଙ୍କ ନେତୃତ୍ୱରେ ମୋଟ ୧୭୧ ଜଣ କର୍ମକର୍ତା ଓ ସ୍ଥାନୀୟ ଲୋକେ ସ୍ମାରକପତ୍ରରେ ସ୍ୱାକ୍ଷର କରିଥିଲେ। ଯଦି ଜନଗଣନାରେ ଓବିସିଙ୍କୁ ସାଧାରଣ ବର୍ଗ ସହ ଏକାତ୍ମ କରାଯାଏ, ତେବେ ସରକାରୀ ସୁବିଧା ଓ ଯୋଜନାରୁ ସେମାନେ ବଂଚିତ ହେବାର ଆଶଙ୍କା ରହିଛି ବୋଲି ମଂଚ ପକ୍ଷରୁ କୁହାଯାଇଛି।

ଏହି ସମୟରେ ନରୋତମ ସାହୁ, ନିମାଇଁ ନାଏକ, ଭଗବାନ ସାହୁ, ନିତ୍ୟାନନ୍ଦ ନାଏକ, ସଚିନ ସାହୁ, ବିକି ପଟେଲ ସମେତ ବହୁ ସଂଖ୍ୟକ ଓବିସି କର୍ମକର୍ତା ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ଏହି ଦାବିକୁ ସକାରାତ୍ମକ ଭାବେ ବିଚାର କରିବେ ବୋଲି ଅଂଚଳବାସୀ ଆଶା ବ୍ୟକ୍ତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya