Friday, 27 Nov, 9.05 pm Hindusthan Samachar

ମୁଖ୍ୟ ସମ୍ବାଦ
ଜଷ୍ଟିସ ବିକେ ପଟେଲ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର, ୨୭ ନଭେମ୍ବର - ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିକେ ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଜଷ୍ଟିସ ବିପି ଦାଶ ଚଳିତମାସ ୧୪ତାରିଖରେ ଅଧ୍ୟକ୍ଷ ପଦବୀରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା ।

ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଷ୍ଟିସ ବିକେ ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଥିଲା । ରାଜ୍ୟପାଳଙ୍କ ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜଷ୍ଟିସ ପଟେଲ ୨୦୧୭ ଜୁନ୍ ମାସରେ ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ତେବେ ଜାନୁୟାରୀ ମାସରେ ସେ ଏହି ପଦବୀରୁ ଅବସର ନେଇଥିଲେ । ଏବେ ତାଙ୍କୁ ରାଜ୍ୟ ସରକାର ନୂତନ ନିଯୁକ୍ତି ଦେଇଛନ୍ତି । ୧୯୫୩ ମସିହା ଜାନୁୟାରୀ ୨୪ରେ ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଜଷ୍ଟିସ ପଟେଲ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି । ସେ ୨୦୦୮ ଜାନୁୟାରୀରୁ ୨୦୧୫ ଜାନୁୟାରୀ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ସେ ରାଜ୍ୟ ସରକାରଙ୍କ ଅନେକ ପଦପଦବୀରେ କାର୍ଯ୍ୟ ସରିଛନ୍ତି ।

...........................

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top