Dailyhunt
ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ପ୍ରଜ୍ଞା ପ୍ରେରଣାର ଉଦ୍ଯାପନୀ ସମାରୋହରେ ଯୋଗ ଦେଲେ ରାଜ୍ୟପାଳ

ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ସମ୍ପର୍କିତ କର୍ମଶାଳା ପ୍ରଜ୍ଞା ପ୍ରେରଣାର ଉଦ୍ଯାପନୀ ସମାରୋହରେ ଯୋଗ ଦେଲେ ରାଜ୍ୟପାଳ

ଶିକ୍ଷା ହେଉଛି ଜାତି ଗଠନର ସବୁଠାରୁ ଶକ୍ତିଶାଳୀ ଉପକରଣ: ରାଜ୍ୟପାଳ

ଭୁବନେଶ୍ୱର , 03 ମେ (ହି.ସ.): ଶିକ୍ଷା ହେଉଛି ଜାତି ଗଠନର ସବୁଠାରୁ ଶକ୍ତିଶାଳୀ ଉପକରଣ । ଏ ଦିଗରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଏକ ରୂପାନ୍ତରଣକାରୀ ସଂସ୍କାର ଯାହା ୨୦୩୬ ସୁଦ୍ଧା 'ବିକଶିତ ଓଡ଼ିଶା' ଏବଂ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଦୃଷ୍ଟିକୋଣକୁ ରୂପାୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି କହିଛନ୍ତି ।

ରବିବାର ଦିନ ଲୋକ ସେବା ଭବନ ସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ 'ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତା ଏବଂ ଉଚ୍ଚଶିକ୍ଷା ସଂସ୍କାର' ସମ୍ପର୍କିତ ଜାତୀୟସ୍ତରୀୟ କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏନଇପି ୨୦୨୦ ଭାରତର ଜନସଂଖ୍ୟାକୁ ଉପଯୋଗ କରି ଏକ ଶକ୍ତିଶାଳୀ, ଅନ୍ତର୍ଭୂକ୍ତିମୂଳକ ଏବଂ ଭବିଷ୍ୟତ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥା ଗଢ଼ିବାର ଏକ ସ୍ପଷ୍ଟ ମାର୍ଗଦର୍ଶକ। ଏହା ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ବିଶ୍ୱ ନେତୃତ୍ୱ ପାଇଁ ଶକ୍ତି ପ୍ରଦାନ କରିବ।

ଏହି କର୍ମଶାଳାକୁ ଏକ ସମୟୋପଯୋଗୀ ଏବଂ ଦୂରଦର୍ଶୀ ଉଦ୍ୟମ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ଏହା ଜାତୀୟ ପ୍ରଗତି ଏବଂ ମାନବିକ ବିକାଶର ଆଧାର ଭାବେ ଶିକ୍ଷାକୁ ସୁଦୃଢ଼ କରିବାରେ ସମଷ୍ଟିଗତ ପ୍ରତିବଦ୍ଧତାର ପ୍ରତିଫଳନ। ଭାରତ ଐତିହାସିକ ଭାବେ ସମଗ୍ର ବିଶ୍ୱରେ ଜ୍ଞାନ, ପ୍ରଜ୍ଞା ଏବଂ ବୌଦ୍ଧିକ ନେତୃତ୍ୱର କେନ୍ଦ୍ର ଥିଲା ଏବଂ ଗଣିତ, ଜ୍ୟୋତିର୍ବିଜ୍ଞାନ, ଚିକିତ୍ସା ଓ ସାହିତ୍ୟ କ୍ଷେତ୍ରରେ ପ୍ରଭୂତ ଅବଦାନ ରଖିଛି।

କୃତ୍ରିମ ବୁଦ୍ଧିମତ୍ତା, ଜୈବ ପ୍ରଯୁକ୍ତିବିଦ୍ୟା, ତଥ୍ୟ ବିଜ୍ଞାନ ଏବଂ ଡିଜିଟାଲ୍ ନବସୃଜନ ଦ୍ୱାରା ପରିଚାଳିତ ଦ୍ରୁତ ବିଶ୍ୱ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଜ୍ଞାନ ଅର୍ଥନୀତି ବର୍ତ୍ତମାନ ଆଲୋଚନାତ୍ମକ ଚିନ୍ତାଧାରା, ସୃଜନଶୀଳତା, ଗ୍ରହଣୀୟତା ଏବଂ ଆନ୍ତଃବିଷୟିକ ଶିକ୍ଷାର ଆବଶ୍ୟକତା କରେ। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଏକବିଂଶ ଶତାବ୍ଦୀର ଆବଶ୍ୟକତା ସହିତ ସମନ୍ୱିତ ଭାବରେ ପାରମ୍ପରିକ ଶିକ୍ଷା ପଦ୍ଧତ୍ତିରୁ ଅଭିଜ୍ଞତାମୂଳକ ଶିକ୍ଷା, ସାମଗ୍ରିକ ବିକାଶ ଏବଂ ବହୁବିଧ ଶିକ୍ଷା ଆଡ଼କୁ ଏକ ନିର୍ଣ୍ଣାୟକ ପରିବର୍ତ୍ତନର ସଂକେତ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ବିସ୍ତୃତ ଏବଂ ଭବିଷ୍ୟତମୁଖୀ ଶିକ୍ଷା ନୀତି ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ । ୨୦୨୪ ଅଗଷ୍ଟ ମାସରୁ ରାଜ୍ୟରେ ସକ୍ରିୟ ଭାବେ ଏନଇପି ୨୦୨୦ କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ I

ଏତତବ୍ୟତୀତ ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ପାଠ୍ୟକ୍ରମ ପୁନର୍ଗଠନ, ଦକ୍ଷତା ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ଏବଂ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ମାଧ୍ୟମରେ ଓଡ଼ିଶା ଉଚ୍ଚଶିକ୍ଷାରେ ପ୍ରମୁଖ ସଂସ୍କାର ଆଣିଛି। ଉଚ୍ଚଶିକ୍ଷାରେ ସମାନତାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ଆଇନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।

ଦକ୍ଷତା ବିକାଶ, ଉଦ୍ୟମିତା ଏବଂ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ କହିଥିଲେ ଯେ ଶିକ୍ଷା ଯୁବପିଢ଼ିଙ୍କୁ କେବଳ ଚାକିରି ଖୋଜିବା ପାଇଁ ନୁହେଁ ବରଂ ନବସୃଜନ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ସଶକ୍ତ କରିବା ଉଚିତ। ଜାତୀୟ ଶିକ୍ଷା ନୀତି ୨୦୨୦କୁ ତୃଣମୂଳସ୍ତରରେ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ସରକାର, ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ସମାଜର ସାମୂହିକ ପ୍ରୟାସ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ବିଶ୍ୱବିଦ୍ୟାଳୟଗୁଡ଼ିକ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ଶକ୍ତି ଏବଂ ସମ୍ଭାବନାକୁ ସମାଜ ଏବଂ ଜାତୀୟ ବିକାଶ ପାଇଁ ନିୟୋଜିତ କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କର୍ମଶାଳାରେ ଏନଇପି ୨୦୨୦ କାର୍ଯ୍ୟକାରିତା ପାଇଁ ସୁପାରିଶ ଏବଂ ଭବିଷ୍ୟତ କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନ ବିଭାଗର ପ୍ରଫେସର ଶ୍ରୀରୂପ ଗୋସ୍ୱାମୀ ମଇ୨ ଓ ୩ ତାରିଖରେ ଅନୁଷ୍ଠିତ ଦୁଇଦିନିଆ କର୍ମଶାଳାର ଆଲୋଚନା ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ। ଉଚ୍ଚଶିକ୍ଷା ବିଭାଗର କମିଶନର୍-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya