Dailyhunt
ଜୟପୁରରେ 'ଓଡ଼ିଆ ଭାଷାରେ ନାମ ଫଳକ' ଅଭିଯାନ ସଚେତନତା ଶୋଭାଯାତ୍ରା

ଜୟପୁରରେ 'ଓଡ଼ିଆ ଭାଷାରେ ନାମ ଫଳକ' ଅଭିଯାନ ସଚେତନତା ଶୋଭାଯାତ୍ରା

ଜୟପୁର, ୪ ଅପ୍ରେଲ (ହି.ସ.)- ଓଡ଼ିଆ ଭାଷା ପକ୍ଷ ଅବସରରେ ଜୟପୁର ସହରରେ 'ଓଡ଼ିଆ ଭାଷାରେ ନାମ ଫଳକ' (ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା) ଅଭିଯାନକୁ ନେଇ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଜୟପୁର ସିଟି ହାଇସ୍କୁଲର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରର ବ୍ୟବସାୟୀ ଏବଂ ଜନସାଧାରଣଙ୍କୁ ନିଜ ନିଜର ନାମ ଫଳକ ଓଡ଼ିଆରେ ଲେଖିବା ପାଇଁ ଅନୁରୋଧ କରାଯାଇଛି।

ଏହି ଶୋଭାଯାତ୍ରାକୁ ଜୟପୁର ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ତୃପ୍ତି ବରାଇ ମହୋଦୟା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସିଟି ହାଇସ୍କୁଲର ୫୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶ୍ରମ କାର୍ଯ୍ୟାଳୟର କର୍ମଚାରୀମାନେ ହାତରେ ପ୍ଲାକାର୍ଡ ଧରି ଏବଂ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହି ଅବସରରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସଚେତନତା ମୂଳକ ଲିଫଲେଟ୍ ବଣ୍ଟନ କରାଯାଇଥିଲା।

ଶୋଭାଯାତ୍ରାଟି ସହରର ମୁଖ୍ୟ ରାସ୍ତା, ରାଜା ପାଲେସ୍, ଏମ.ଜି. ରୋଡ୍, ନେହେରୁ ନଗର ଏବଂ ଦେପାଗୁଡ଼ା ଦେଇ ଅତିକ୍ରମ କରିଥିଲା ଏବଂ ଶେଷରେ ଶ୍ରମ କାର୍ଯ୍ୟାଳୟଠାରେ ପହଞ୍ଚି ସମାପ୍ତ ହୋଇଥିଲା। ଜୟପୁର ବିଭାଗୀୟ ଶ୍ରମ କମିଶନର ବୃନ୍ଦାବନ ସେଠୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସହକାରୀ ଶ୍ରମ ଅଧିକାରୀ ଚୈତନ୍ୟ ପ୍ରସାଦ ମାଝୀ ଏଥିରେ ସହଯୋଗ କରିଥିଲେ। ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସିଟି ହାଇସ୍କୁଲର ଶିକ୍ଷକ ପ୍ରତାପ ପଟ୍ଟନାୟକ ସଂଯୋଜନା କରିବା ସହ ଶିକ୍ଷୟତ୍ରୀ ବନ୍ଦିତା ପାଣିଗ୍ରାହୀ ଓ ପି ମନସା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ମାତୃଭାଷାର ଗୌରବ ରକ୍ଷା କରିବା ପାଇଁ ଆୟୋଜିତ ଏହି ପ୍ରୟାସକୁ ଜୟପୁର ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya