Dailyhunt

ଝାରସୁଗୁଡ଼ା ଉପଜିଲ୍ଲାପାଳ ଭାବେ ସବ୍ୟସାଚୀ ପଣ୍ଡାଙ୍କ ପୁନଃନିଯୁକ୍ତି, ପ୍ରଶାସନିକ ସ୍ତରରେ ଅଦଳବଦଳ କୋଲାବିରା ବିଡ଼ିଓ ଅଶୋକ କୁମାର ମାଝୀଙ୍କୁ ବଲାଙ୍ଗୀରରେ ଅତିରିକ୍ତ ଇଓ ଦାୟିତ୍ୱ

ଝାରସୁଗୁଡ଼ା, ୦୫ ମେ (ହି.ସ.) - ଓଡ଼ିଶାରେ ପ୍ରଶାସନିକ ସ୍ତରରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, କେତେକ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି।

ପୂର୍ବରୁ ଝାରସୁଗୁଡ଼ାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ସବ୍ୟସାଚୀ ପଣ୍ଡାଙ୍କୁ ପୁନର୍ବାର ସେହି ପଦବୀରେ ନିଯୁକ୍ତି ଦିଆଯାଇଛି।

ଉଲ୍ଲେଖନୀୟ, ଗତ ଏପ୍ରିଲ ୨୩ ତାରିଖରେ ତାଙ୍କୁ ବାମନଘାଟି (ରାଇରଙ୍ଗପୁର) କୁ ବଦଳି କରାଯାଇଥିଲେ ମଧ୍ୟ, ସରକାର ସେହି ଆଦେଶକୁ ବାତିଲ କରି ତାଙ୍କୁ ପୁଣି ଝାରସୁଗୁଡ଼ାରେ ଦାୟିତ୍ୱ ଦେଇଛନ୍ତି।

ଏହା ସହିତ କୋଲାବିରା ବିଡ଼ିଓ ଅଶୋକ କୁମାର ମାଝୀଙ୍କୁ ଝାରସୁଗୁଡ଼ା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ପୂର୍ବ ନିର୍ଦେଶକୁ ବି ରଦ୍ଦ କରାଯାଇଛି। ବର୍ତମାନ ତାଙ୍କୁ ବଲାଙ୍ଗୀର ଜିଲ୍ଲା ପରିଷଦର ଅତିରିକ୍ତ ଏକ୍ସିକ୍ୟୁଟିଭ ଅଫିସର (ଇଓ) ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ସ୍ୱତନ୍ତ୍ର ସଚିବ ଘାସିରାମ ମୁର୍ମୁ ଏହି ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya