Dailyhunt

ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମୀକ୍ଷା ବୈଠକ ଅନୁଷ୍ଠିତ

ଝାରସୁଗୁଡ, 08 ଏପ୍ରିଲ୍ (ହି.ସ.) -ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି.ଏମ୍.ଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଆଲୋଚନା କରାଯାଇଥିଲା।ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମହେଶ ମୋହନ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗାର୍ତିଆ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସମନ୍ୱୟରେ ଜିଲ୍ଲାରେ ଚାଲିଥିବା ମାତୃ ଓ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।

ବୈଠକରେ ଜିଲ୍ଲାରେ ଫେବୃଆରୀ ମାସରେ ରିପୋର୍ଟ ହୋଇଥିବା ଜଣେ ମାତୃ ମୃତ୍ୟୁ ଏବଂ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ରିପୋର୍ଟ ହୋଇଥିବା ୭ ଜଣ ଶିଶୁ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା। ଗତ ବର୍ଷ ତୁଳନାରେ ମାତୃ ମୃତ୍ୟୁ ହାରରେ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ଶିଶୁ ମୃତ୍ୟୁ ହାର ସମାନ ରହିଛି, ଯାହାକୁ ନେଇ ଜିଲ୍ଲାପାଳ ତୃଣମୂଳ ସ୍ତରରେ କାର୍ଯ୍ୟକୁ ଅଧିକ ଜୋରଦାର କରିବାକୁ ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ବୈଠକ ଅବସରରେ ଜିଲ୍ଲାପାଳ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ସେ ସମସ୍ତ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା ମାନଙ୍କର ଏକ ସଠିକ୍ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ନିୟମିତ ଟ୍ରାକିଂ କରିବା ସହ ସମସ୍ତ ଗର୍ଭବତୀ ମହିଳା ଏବଂ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ ଯକ୍ଷ୍ମା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ସର୍ଭିକାଲ୍ କ୍ୟାନ୍ସର ପ୍ରତିରୋଧ ପାଇଁ ଏଚ୍.ପି.ଭି ଟିକାକରଣ କାର୍ଯ୍ୟକ୍ରମର ବ୍ୟାପକ ପ୍ରସାର ଓ ସଚେତନତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପୁଷ୍ଟିହୀନତା ଦୂରୀକରଣ କ୍ଷେତ୍ରରେ ବିଭିନ୍ନ ଶ୍ରେଣୀର ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କୁ ତୁରନ୍ତ ଏନ୍.ଆର୍.ସି କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେବା ସହ ମାଆ ଓ ଶିଶୁଙ୍କ ପାଇଁ ପୃଥକ ପୃଥକ ଟେକ୍ ହୋମ୍ ରାସନ ପ୍ୟାକେଜିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ଗୁରୁତ୍ୱ ଦେଇଥିଲେ।

ଜିଲ୍ଲାରୁ ମାତୃ ଓ ଶିଶୁ ମୃତ୍ୟୁ ହାର ସମ୍ପୂର୍ଣ୍ଣ କମାଇବା ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya