Dailyhunt
ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

Hindusthan Samachar 0 months ago

ସମ୍ବଲପୁର, ୪ ଅପ୍ରେଲ (ହି.ସ.)- ସ୍ଥାନୀୟ ବି. ଏମ୍. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଓଡିଆ ପକ୍ଷ ଅପ୍ରେଲ ୨ ତାରିଖ ଦିନ ଅନୁଷ୍ଠିତ ହେଇଯାଇଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଲାଭ କରି ଦେଶର ଉନ୍ନତିରେ ଅଂଶୀଦାର ହେବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଅରବିନ୍ଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଭୋଇ ବିକଶିତ ରାଷ୍ଟ୍ର ଗଠନ ନିମନ୍ତେ ଗୁଣାତ୍ମକ ଶିକ୍ଷାଦାନ ଓ ଜିଲ୍ଲାରେ ଶତ ପ୍ରତିଶତ ସାକ୍ଷରତା ହାର ହାସଲ କରିବା ଆମର ଲକ୍ଷ୍ୟ ବୋଲି କହିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ଶିଶୁ ବାଟିକାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଖଡିଛୁଆଁ କରାଇବା ସହ ଶିକ୍ଷଣୀୟ କିଟ୍ ପ୍ରଦାନ କରିଥିଲେ। ନୂଆ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଉଜାଗର ପ୍ରଧାନ ସ୍ଵାଗତ ବକ୍ତବ୍ଯ ପ୍ରଦାନ କରିଥିଲେ। ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସତ୍ଯବ୍ରତ ସାହୁ ଓ ଗୋଷ୍ଠୀ ଶିକ୍ଷାଧିକାରୀ କରଣ ଶର୍ମା ମଂଚାସୀନ ଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ଶିକ୍ଷା ସଚେତନତା ରଥକୁ ପତାକା ଦେଖାଇ ସଚେତନ ଅଭିଯାନକୁ ଶୁଭାରମ୍ଭ କରିଥିଲେ। ଲେଡି ଲୁଇସ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୁଢାରଜା ହାଇସ୍କୁଲର ଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଅସୀମ ପ୍ରଧାନ ମଂଚ ସଂଯୋଜନା କରିଥିଲେ । ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଧନକଉଡା ବ୍ଲକର ସାଧନ କେନ୍ଦ୍ରର ସଂଯୋଜକମାନେ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ। ସମଗ୍ର ଶିକ୍ଷାର ସଂଯୋଜକ ଅରୁଣ କୁମାର ଦାସ ଉତ୍ସବକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya