Dailyhunt

କଳିଙ୍ଗ ଷ୍ଟାଡିୟମରେ ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନସିପ୍ ୨୦୨୬-୨୭ ର ସଫଳ ସମାପନ

ଭୁବନେଶ୍ୱର, 04 ମେ (ହି.ସ.) - କଳିଙ୍ଗ ଷ୍ଟାଡିୟମ ସ୍ଥିତ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟରଠାରେ ଚାଲିଥିବା ଜୁନିୟର ଓ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନସିପ୍ର ମହିଳା ବିଭାଗୀୟ ପ୍ରତିଯୋଗିତା ରବିବାର ସଂଧ୍ୟାରେ ଶେଷ ହୋଇଛି। ଅନ୍ତିମ ଦିନରେ ରୋମାଞ୍ଚକର ଖେଳ ପ୍ରଦର୍ଶନ ସହ ଏହି ଜାତୀୟ ସ୍ତରର ପ୍ରତିଯୋଗିତା ସମ୍ପନ୍ନ ହୋଇଛି।

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୩୬ ଓଲିମ୍ପିକ୍ସ ଭାରତରେ ଆୟୋଜନ ହେବାର ଦୃଢ଼ ଆଶା ପ୍ରକଟ କରିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବର୍ତ୍ତମାନର ଜିମ୍ନାଷ୍ଟିକ ଚାମ୍ପିୟନସିପ୍ ଏକ ଗୁରୁତ୍ୱପୂର୍ଣ୍ଣ 'ଲଞ୍ଚପ୍ୟାଡ୍' ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ରାଜ୍ୟର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରକୁ ସମଗ୍ର ଦେଶ ପାଇଁ ଏକ 'ଓଲିମ୍ପିକ ଟ୍ରେନିଂ ସେଣ୍ଟର' ଭାବେ ଗଢ଼ିତୋଳିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କ୍ରୀଡ଼ାବିତମାନେ ଆଗାମୀ ଓଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ପ୍ରସ୍ତୁତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଶେଷରେ, କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ କହିଥିଲେ ଯେ ଓଡ଼ିଶାର ପାଇକ ବିଦ୍ରୋହ ବ୍ରିଟିଶ ବିରୋଧରେ ପ୍ରଥମ ସଶସ୍ତ୍ର ସଂଗ୍ରାମ ଥିଲା ଏବଂ ପାଇକମାନଙ୍କ ବ୍ୟାୟାମ ଆଜିର ଜିମ୍ନାଷ୍ଟିକ୍ସ ସହ ସମାନ। ସେ ପୁରୀର ଜଗାଘର ସଂସ୍କୃତିର ଗୁରୁତ୍ୱ କଥା ଉଲ୍ଲେଖ କରି ସେଗୁଡ଼ିକୁ ପରିଦର୍ଶନ କରିବାକୁ ଆହ୍ୱାନ କରିଥିଲେ। ଜାତୀୟ କୋଚ୍ ରାକେଶ ପାତ୍ରଙ୍କ ସଫଳତାକୁ ଉଦାହରଣ ଭାବେ ଦେଇ କ୍ରୀଡ଼ାରେ ଓଡ଼ିଶାର ଅବଦାନ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ 'ଖେଲୋ ଇଣ୍ଡିଆ' ଓ 'ଟପ୍ସ' ଯୋଜନା ମାଧ୍ୟମରେ କ୍ରୀଡ଼ାର ବିକାଶ ହେଉଥିବା କହିଥିଲେ। ସେ ଯୁବ ଖେଳାଳିମାନଙ୍କୁ ୨୦୩୬ ଓଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହୋଇ ଦେଶ ପାଇଁ ପଦକ ଜିତିବାକୁ ପ୍ରେରଣା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya