Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କନ୍ଧମାଳରେ ସ୍ଵତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ

କନ୍ଧମାଳରେ ସ୍ଵତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ

Hindusthan Samachar 3 months ago

କନ୍ଧମାଳ, ୫ ଜୁଲାଇ (ହି.ସ.)- ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍ ଆଇ ଆର), ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ଉପଲକ୍ଷେ ରବିବାର ପୂର୍ବାହ୍ନ ୧୧ଟାରେ ସଦଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କନ୍ଧମାଳ ଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଚିଠା ଭୋଟର ତାଲିକା ପ୍ରକାଶ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଜନସଚେତନତା ସୃଷ୍ଟି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଶ୍ରୀ ବେଦଭୂଷଣ କହିଥିଲେ ଯେ, ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ନିର୍ଭୁଲ ଓ ତ୍ରୁଟିମୁକ୍ତ କରିବା ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରାଥମିକତା। ଏଥିପାଇଁ ରାଜନୈତିକ ଦଳ, ଜନପ୍ରତିନିଧି, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ସକ୍ରିୟ ସହଯୋଗ ଅପରିହାର୍ଯ୍ୟ। ସେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚିଠା ଭୋଟର ତାଲିକାକୁ ଭଲଭାବେ ଯାଞ୍ଚ କରି ଯୋଗ୍ୟ ଭୋଟରଙ୍କ ନାମ ସଂଯୋଜନ, ଅଯୋଗ୍ୟ ଭୋଟରଙ୍କ ନାମ ବିଲୋପ ଓ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାରରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ।

ବୈଠକରେ ସୂଚନା ଦିଆଯାଇଥିଲା ଯେ, କନ୍ଧମାଳ ଜିଲ୍ଲାର ମୋଟ ୫,୭୦,୮୯୮ ଜଣ ଭୋଟରଙ୍କ ମଧ୍ୟରୁ ୫,୩୧,୮୪୨ ଜଣ ଏନୁମେରେସନ ଫର୍ମ ଦାଖଲ କରିଥିବାବେଳେ ୩୯,୦୫୬ଟି ଫର୍ମ ମୃତ, ସ୍ଥାନାନ୍ତରିତ, ଡୁପ୍ଲିକେଟ୍ କିମ୍ବା ଅନୁପସ୍ଥିତ ଭୋଟରଙ୍କ କାରଣରୁ ସଂଗ୍ରହ ହୋଇପାରିନାହିଁ। ଭାରତୀୟ ନିର୍ବାଚନ କମିଶନଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରରେ ସର୍ବାଧିକ ୧,୨୦୦ ଜଣ ଭୋଟର ରହିବେ। ପୂର୍ବରୁ ଗୋଟିଏ ବୁଥ୍ରେ ପ୍ରାୟ ୧,୫୦୦ ଜଣ ଭୋଟର ରହୁଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଥିବାରୁ ଜିଲ୍ଲାରେ ୧୫୧ଟି ନୂତନ ଭୋଟଗ୍ରହଣ କେନ୍ଦ୍ର ସୃଷ୍ଟି କରାଯାଇଛି। ଏହାଫଳରେ ଜିଲ୍ଲାର ମୋଟ ବୁଥ୍ ସଂଖ୍ୟା ୬୬୧ରୁ ବୃଦ୍ଧି ପାଇ ୮୧୨ରେ ପହଞ୍ଚିଛି।ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ-୨୦୨୬ର କାର୍ଯ୍ୟସୂଚୀ ସମ୍ପର୍କରେ ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା। ୦୫ ଜୁଲାଇ ୨୦୨୬ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ୦୫ ଜୁଲାଇ ୨୦୨୬ରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ୦୫ ଜୁଲାଇ ୨୦୨୬ରୁ ୦୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ଶୁଣାଣି ଏବଂ ସମାଧାନ କରାଯିବ। ଏହାପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

ବୈଠକରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ, ଫୁଲବାଣୀ ଭିକାରୀ ସାହୁ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ କୁମୁଦିନୀ ମଲ୍ଲିକ, ଡେପୁଟି କଲେକ୍ଟର ଅଙ୍କିତ ଜେନା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅତିନିଆଲ ନାଇକା, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ନିର୍ବାଚନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସମସ୍ତ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ କରି ସ୍ୱଚ୍ଛ, ନିର୍ଭୁଲ ଓ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya