Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କେଉଁଝର-ଭଦ୍ରକ ଜିଲାର ଆପଣ୍ଡା-ଓରାଳି ସୀମା ବିବାଦ, ୩ ବର୍ଷ ପରେ ଜିଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା

ଦ୍ରକ, ୩୦ ମଇ (ହି.ସ.) - ୩ ବର୍ଷ ପରେ ଆପଣ୍ଡା-ଓରାଳି ଛକ ସୀମା ବିବାଦ ଆଜି ସମାଧାନ ହୋଇଛି। ଭଦ୍ରକ ଜିଲାପାଳ ଡଃ ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଆଜି ଏହି ବିବାଦର ଅନ୍ତ ଘଟିଛି। ଦୀର୍ଘ ୩ ବର୍ଷ ଧରି ଦୁଇ ଜିଲାର ଦୁଇଟି ଗାଁ ମଧ୍ୟରେ ଏହି ସୀମା ବିବାଦ ଲାଗି ରହିଥିଲା। ଆଜି କେଉଁଝର ଓ ଭଦ୍ରକ ଜିଲାର ଜିଲାପାଳଙ୍କ ସହମତିରେ ଆଜି ଦୁଇଟି ଗାଁର ଗ୍ରାମବାସୀଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ହୋଇଛି।

ବିଶେଷକରି ଭଦ୍ରକ ଜିଲାପାଳ ଡଃ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆଜି ଏକ ସ୍ୱତନ୍ତ୍ର ବୈଠକ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ଭଦ୍ରକ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ବନ୍ତ ବ୍ଲକ୍ ଚେୟାରମେନ୍ ମନୋରଞ୍ଜନ ଘଡାଇ, ବନ୍ତ ବିଡିଓ ସୀତାକାନ୍ତ ରାଉତ, ବସନ୍ତିଆ ସରପଂଚ ଓ ହାଟଡିହି ବ୍ଲକ୍ର ବିଡିଓ ରଞ୍ଜନ କୁମାର ପରିଡା, ଓରାଳି ସରପଂଚ ହରିଶ୍ଚନ୍ଦ୍ର ଜେନା, ସମିତିସଭ୍ୟ ଦେବବ୍ରତ ବେହେରାଙ୍କ ସହ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଉଭୟ ଅଂଚଳବାସୀଙ୍କ ଉପସ୍ଥିତିରେ ସୀମା ବିବାଦ ନେଇ ଆଲୋଚନା ହୋଇଥିଲା। ଶେଷରେ ବିବାଦୀୟ ସ୍ଥାନଟିକୁ ସ୍ୱାଧୀନତା ସଂଗ୍ରାମୀ ଛକ ଓ ସେଠାରେ ଥିବା ବସ୍ ଷ୍ଟପେଜ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ଅନ୍ୟପକ୍ଷରେ ଭଦ୍ରକ ପୂର୍ତ ବିଭାଗ ପକ୍ଷରୁ ଏହାର ଉନ୍ନତିକରଣ କରାଯିବ। ଅନ୍ୟପକ୍ଷରେ ୨୦୨୩ ମସିହାରେ ଏହି ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ସଂପୃକ୍ତ ଥିବା ଲୋକଙ୍କ ନାମରେ ହୋଇଥିବା ମାମଲା ଗୁଡିକର ସମାଧାନ ପାଇଁ ଜିଲାପାଳ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ କଥାବାର୍ତା ହୋଇଥିଲେ। ପରବର୍ତୀ ସମୟରେ ଉଭୟ କେଉଁଝର ଓ ଭଦ୍ରକ ଜିଲାପାଳଙ୍କ ଉପସ୍ଥିତିରେ ଏହି ସ୍ୱାଧୀନତା ସଂଗ୍ରାମୀ ଛକ ଓ ବସ୍ଷ୍ଟାଣ୍ଡର ଶୁଭ ଦିନରେ ଏହାର ଶୁଭଉଦ୍ଘାଟନ କାର୍ଯ୍ୟ ସମାପନ ହେବ ବୋଲି ଜିଲାପାଳ ଡଃ ରାଉତରାଏ ବୈଠକରେ କହିଥିଲେ। ସୂଚନାଯୋଗ୍ୟ ଗତ ୧୬.୦୪.୨୦୨୩ ରିଖରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଓରାଳି ଛକ ଠାରେ ସୀମା ବିବାଦରୁ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂଘବଦ୍ଧ ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବାବେଳେ ୧୦ ରୁ ଉର୍ଦ୍ଧ୍ୱ ଦୋକାନ ଘରକୁ ଜାଳିଦିଆଯାଇଥିଲା। ସେତବେଳର ଭଦ୍ରକ ସିଟି ଡିଏସ୍ପି ଅଂଶୁମାନ ଦ୍ୱିବେଦୀ, ଉପଜିଲାପାଳ ମନୋଜ ପାତ୍ର, ବନ୍ତ ଅତିରିକ୍ତ ତହସିଲଦାର ବିନିତାରିଣୀ କୁସ୍କୁଙ୍କ ସହ ଦୁଇ ପ୍ଲାଟୁନ୍ ପୁଲସ୍ ଫୋର୍ସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଦୀର୍ଘବର୍ଷ ଧରି ଓରାଳି ଛକ କୁହାଯାଉଥିବା ସ୍ଥାନଟି ପୂର୍ବରୁ ଆପଣ୍ଡା ଆରଆଇଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରାଯିବା ପରେ ଏହା ଭଦ୍ରକ ଜିଲା ବନ୍ତ ତହସିଲ ଆପଣ୍ଡା ଗ୍ରାମର ବୋଲି ଜଣାପଡିଥିଲା। ଆପଣ୍ଡା ଗ୍ରାମର କେତେକ ବ୍ୟକ୍ତି ଓରାଳି ଛକରେ ଆପଣ୍ଡା ଗ୍ରାମର ନାମଫଳକ ଲଗାଉଥିବାବେଳେ ଓରାଳି ଅଂଚଳର ଶତାଧିକ ବ୍ୟକ୍ତି ସଂଘବଦ୍ଧ ଭାବେ ଆସି ସେମାନଙ୍କୁ ବିରୋଧ କରିବାରୁ ଉତେଜକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ବନ୍ତ ପୁଲିସ୍ ୬ ଜଣକୁ ଗିରଫ କରିଥିଲା। ଏହି ଘଟଣା ପରେ ଆପଣ୍ଡା ଛକରୁ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya