ଝାରସୁଗୁଡା, ୪ ଅପ୍ରେଲ (ହି.ସ.)- କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଦୀର୍ଘଦିନ ଧରି ଡାକ୍ତର ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ନିମନ୍ତେ ସ୍ୱାସ୍ଥ୍ୟ ସେବା ଗୁରୁତର ସଙ୍କଟରେ ପଡ଼ିଛି। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ଲୋକମାନେ ମୌଳିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହି ସମସ୍ୟାର ଶୀଘ୍ର ସମାଧାନ ଦାବୀରେ ଶନିବାର କୋଲାବିରା ସିଏଚସି ସମ୍ମୁଖରେ ଗଣଧାରଣା ଆୟୋଜିତ ହୋଇଥିଲା। ଆଞ୍ଚଳିକ ବିକାଶ ପରିଷଦ (ଲଇକେରା, କୋଲାବିରା ଓ କିର୍ମିରା) ପକ୍ଷରୁ ଏହି ପ୍ରତିବାଦ କରାଯାଇଥିଲା।
ସଂଗଠନର ସଭାପତି ଜିତେନ୍ଦ୍ରିୟ ଧୁରୁଆଙ୍କ ନେତୃତ୍ୱରେ ଉପସଭାପତି ସ୍ୱରୁପ କିଶାନ, ସମ୍ବିତ ନାଏକ, ପ୍ରଶାନ୍ତ ମହାନନ୍ଦିଆ, ଅଜୟ ବିଶ୍ୱାଳ, ଅରୁଣ ନାଏକ, ରମେଶ କିସାନ, ନରେନ କିସାନ, ଦୀପକ ସାହୁ ଓ ତ୍ରିଲୋଚନ ଡନସନା ସହ ଅନେକ ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଧାରଣାରେ ଯୋଗଦେଇଥିଲେ।
ଧାରଣାରେ ଉଠାଯାଇଥିବା ଦାବୀ ଅନୁଯାୟୀ, ସିଏଚସିରେ ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ ଓ ମେଡିସିନ୍ ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବାରୁ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ସାଧାରଣ ରୋଗୀମାନେ ମଧ୍ୟ ଯଥୋଚିତ ଚିକିତ୍ସା ପାଇ ପାରୁନଥିବାରୁ ପ୍ରାୟ ୨୦ କି.ମି. ଦୂରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି, ଯାହା ଅନେକ ସମୟରେ ଜନଜୀବନକୁ ବିପଦଗ୍ରସ୍ତ କରୁଛି।
ସରକାରୀ ମଞ୍ଜୁରି ଅନୁଯାୟୀ ଏଠାରେ ୪ ଜଣ ବିଶେଷଜ୍ଞ ଡାକ୍ତର, ଜଣେ ଦନ୍ତ ଚିକିତ୍ସକ ଓ ୧୫ ଜଣ ଏମବିବିଏସ ଡାକ୍ତରଙ୍କ ପଦ ରହିଥିଲେ ମଧ୍ୟ ବର୍ଷ ବର୍ଷ ଧରି ସମସ୍ତ ପଦବୀ ଖାଲି ପଡ଼ିରହିଛି। ସେହିପରି ସୁପରିଣ୍ଟେଣ୍ଡେଣ୍ଟ ଓ ବିପିଏଚଓ ପଦ ମଧ୍ୟ ଖାଲି ରହିଥିବାରୁ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ମୋଟ ୧୬ଟି ଡାକ୍ତର ଓ ପ୍ରଶାସନିକ ପଦ ଖାଲି ରହିବାରୁ ସ୍ୱାସ୍ଥ୍ୟ ସେବା ପ୍ରାୟ ଅଚଳ ଅବସ୍ଥାକୁ ପହଞ୍ଚିଛି। ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଯଥାବିଧି ପଦକ୍ଷେପ ନେଉନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଧାରଣାକାରୀମାନେ ତୁରନ୍ତ ସମସ୍ତ ଖାଲି ଡାକ୍ତର ପଦବୀ ପୂରଣ, ଏଲଟିଆର ମେଡିକାଲ ଅଫିସର, ସହାୟକ ଓ ପ୍ରଶାସନିକ ଅଧିକ୍ଷକ ପଦ ପୂରଣ ସହ ପୋଖରାସାଲ୍ହେ ଓ ଭାଡ଼ିମାଲ୍ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ପଦବୀ ପୂରଣ କରିବାକୁ ଦାବୀ କରିଥିଲେ।
ଏହି ଗଣଧାରଣାକୁ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଆଇନଜୀବୀ ତ୍ରିନାଥ ଗୁଆଲ, ଆଦିବାସୀ ମହାସଂଘର ଉପଦେଷ୍ଟା ପ୍ରଭାକର ଓରାମ ଓ ସମାଜସେବୀ ସୁରେନ୍ଦ୍ର ନାଏକ ସମର୍ଥନ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ
