Dailyhunt

କୃଷି ଆଇନ୍ ରଦ୍ଦ ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର ,୨୩ ଜାନୁଆରୀ - ସଂଯୁକ୍ତ କିଷ।।ନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ରାଜଭବନ ସମ୍ମୁଖରେ ରାଜ୍ୟସ୍ତରୀୟ କୃଷକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ୩ଟି କୃଷି ଆଇନକୁ ରଦ୍ଦ କରିବା, ଏମ୍‌.ଏସ୍‌. ସ୍ୱାମୀନାଥନଙ୍କ ସୁପାରିଶ୍ ଆଧାରରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ଓଡ଼ିଶାରେ ଧାନର ଅଭାବୀ ବିକ୍ରି ବନ୍ଦ କରିବା, ଧାନ ସଂଗ୍ରହକୁ ସୁନିଶ୍ଚିତ କରିବା ଏବଂ ଚାଷୀଙ୍କୁ ୨୪ ଘଂଟା ମଧ୍ୟରେ ଧାନର ସମସ୍ତ ମୂଲ୍ୟ ପ୍ରଦାନ କରିବା, ଧାନ କ୍ୱିଂଟାଲରେ ସର୍ବନିମ୍ନ ୭୫୦ ଟଙ୍କା ବୋନସ୍ ରାଜ୍ୟ ସରକାର ପ୍ରଦାନ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଏବଂ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ ଏକ "ଭାଗଚାଷୀ ସୁରକ୍ଷା ଆଇନ" ପ୍ରଣୟନ କରିବା, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀମାନଙ୍କୁ ସେମାନଙ୍କର ଉତ୍ପାଦିତ ସମସ୍ତ କୃଷିଜାତ ସାମଗ୍ରୀ ଏବଂ ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ପାଇଁ ଆଇନଗତ ମାନ୍ୟତା ଦେବା ଇତ୍ୟାଦି ପ୍ରମୁଖ ଦାବିଗୁଡ଼ିକୁ ଉପସ୍ଥାପିତ କରାଯାଇଛି ।

ଏହି ସମସ୍ତ ଦାବିକୁ ଆଧାର କରି ଏକ ସ୍ମାରକପତ୍ର ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରାଯିବ । ଏହା ସହିତ ଏହି ଦାବିଗୁଡ଼ିକୁ ଭିତ୍ତିକରି ସାରା ଓଡ଼ିଶାରେ ପ୍ରଚାର ଅଭିଯାନ ସଂଗଠିତ କରିବା ସହିତ ଫେବୃଆରୀ ୧୫ ତାରିଖରେ ରାଜ୍ୟସ୍ତରୀୟ କୃଷକ ସମାବେଶ ଭୁବନେଶ୍ୱରରେ ସଂଗଠିତ କରିବା ପାଇଁ ଘୋଷଣା କରାଯାଇଛି । ସଭା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରାଯାଇଥିଲା । ୧୪୩ ଜଣ ଶହୀଦ କୃଷକଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନୀରବତା ଅବଲମ୍ବନ କରାଯାଇଥିଲା ।

ଏହି ଧାରଣାକୁ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଶଶୀଭୂଷଣ ସ୍ୱାଇଁ, ଅଶୋକ ପ୍ରଧାନ, ପ୍ରତାପ ନାୟକ, ବଟକୃଷ୍ଣ ସ୍ୱାଇଁ, ନରେନ୍ଦ୍ର ମହାନ୍ତି ଏବଂ ଅରୁଣ ଜେନା ପ୍ରମୁଖ କୃଷକ ନେତାମାନଙ୍କୁ ନେଇ ଗଠିତ ଏକ ସାତଜଣିଆ ସଭାପତି ମଣ୍ଡଳି ଏହି ଧାରଣାକୁ ପରିଚାଳନା କରିଥିଲେ । ଏହି ଧାରଣାକୁ ସଂହତି ଜଣାଇ ସି.ପି.ଆଇ(ଏମ୍‌) ନେତା ଅଳିକିଶୋର ପଟ୍ଟନାୟକ, ସି.ପି.ଆଇ ନେତା ରାମକୃଷ୍ଣ ପଣ୍ଡା, ସି.ପି.ଆଇ(ଏମ୍‌-ଏଲ୍‌) ଲିବରେସନ୍ ନେତା ଯୁଧିଷ୍ଠିର ନେତା ଏବଂ ଆମ୍ ଆଦ୍‌ମୀ ପାର୍ଟିର ନେତା ନିଶିକାନ୍ତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହିତ ଶ୍ରମିକ ନେତା ଜନାର୍ଦ୍ଦନ ପତି, ଅଶୋକ ଦାସ, ମହେନ୍ଦ୍ର ପରିଡ଼ା, ସୁବଳ ସାହୁ ପ୍ରମୁଖ କୃଷକ ଆନ୍ଦୋଳନକୁ ସଂହତି ଜଣାଇ ବକ୍ତବ୍ୟ ରଖିଥିଲେ ଏବଂ କୃଷକ-ଶ୍ରମିକ ଏକତାକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ ।

...........

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya