Dailyhunt
ମାଲକାନଗିରିରେ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ଜିଲ୍ଲାପାଳ,ସିଏମ ଟ୍ରଫି ପାଇଁ ପ୍ରସ୍ତୁତି ଜୋରଦାର

ମାଲକାନଗିରିରେ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ଜିଲ୍ଲାପାଳ,ସିଏମ ଟ୍ରଫି ପାଇଁ ପ୍ରସ୍ତୁତି ଜୋରଦାର

ମାଲକାନଗିରି,୮ ଏପ୍ରିଲ୍ (ହି.ସ.) -ମାଲକାନଗିରି ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ସଦର ମହକୁମା ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ହଷ୍ଟେଲ ପରିଦର୍ଶନ କରି କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଆଗାମୀ ସିଏମ ଟ୍ରଫି ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

କ୍ରୀଡ଼ା ଭିତ୍ତିଭୂମିର ଅନୁଧ୍ୟାନ ଓ ସମୀକ୍ଷା କରିବା ସହ ଜିଲ୍ଲାପାଳ ସ୍ପୋର୍ଟସ କମ୍ପ୍ଲେକ୍ସର ବିଭିନ୍ନ ବିଭାଗ ବୁଲି ଦେଖିବା ସହ କ୍ରୀଡ଼ାବିତଙ୍କୁ ଶ୍ରେଷ୍ଠ ସୁବିଧା ଯୋଗାଇବା ପାଇଁ ଗୁରୁତ୍ୱ ଦେଇଛନ୍ତି ।ଆଥଲେଟମାନଙ୍କ ଉନ୍ନତ ଅଭ୍ୟାସ ପାଇଁ ଟ୍ରାକ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ରକ୍ଷଣାବେକ୍ଷଣ ଓ ଆବଶ୍ୟକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଇନଡୋର ଷ୍ଟାଡିୟମଗୁଡ଼ିକର ସୁପରିଚାଳନା ତଥା ଏହାକୁ ଖେଳାଳିଙ୍କ ପାଇଁ ସର୍ବଦା କାର୍ଯ୍ୟକ୍ଷମ ରଖିବାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।ସ୍ପୋର୍ଟସ କମ୍ପ୍ଲେକ୍ସର ପରିସରକୁ ସୁରକ୍ଷିତ ରଖିବା ପାଇଁ ପାଚେରି ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସିଏମ ଟ୍ରଫି କ୍ରୀଡ଼ା କାର୍ଯ୍ୟକ୍ରମକୁ ମାଲକାନଗିରିରେ ଅତି ଆଡମ୍ବର ସହକାରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଏହି ପ୍ରତିଯୋଗିତା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଏକ ବୃହତ ମଞ୍ଚ ପ୍ରଦାନ କରିବ।କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସ୍ପୋର୍ଟସ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି। ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଉତ୍ତମ ପରିବେଶ ଯୋଗାଇ ଦେବା ଜିଲ୍ଲା ପ୍ରଶାସନର ପ୍ରାଥମିକତା ବୋଲି ସେ ପ୍ରକାଶ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମାଲକାନଗିରିର ଯୁବବର୍ଗଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ନେବା ପାଇଁ ପ୍ରଶାସନର ଏହି ତତ୍ପରତା ସ୍ଥାନୀୟ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya