
ଭୁବନେଶ୍ୱର, 04 ମେ (ହି.ସ.)- 2026 ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି
ପରୀକ୍ଷାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର
ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ୩୨୨ଟି ଶିଶୁ ବିଦ୍ୟା ମନ୍ଦିରରୁ ମୋଟ
୧୫୨୧୪ ଜଣ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୫୨୦୯ ଜଣ (୯୯.୯୭%) ଛାତ୍ରଛାତ୍ରୀ
ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮୮ (୯୮%) ନମ୍ବର ରଖି ଯୁଗ୍ମ ପ୍ରଥମ ସ୍ଥାନ
ହାସଲ କରିଛନ୍ତି ଶ୍ରୀ ପାର୍ଥସାରଥି ମହାନ୍ତ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାରିପଦା, ମୟୂରଭଞ୍ଜ ଏବଂ ଶ୍ରୀ ଆଶୁତୋଷ ନାୟକ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସୋର, ବାଲେଶ୍ୱର ।
ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ୧୫ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ
ଛାତ୍ରଛାତ୍ରୀ ୬୦%ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ୩୧୭ଟି ଶିଶୁ ବିଦ୍ୟା
ମନ୍ଦିରର ଫଳାଫଳ ୧୦୦% ହୋଇଛି । ଏହି ପରୀକ୍ଷାରେ ଉତ୍କର୍ଷତା ହାସଲ କରିଥିବାରୁ ଶିକ୍ଷା ବିକାଶ
ସମିତି,
ଓଡ଼ିଶାଙ୍କ ସଭାପତି, ସମ୍ପାଦକ, ସଂଗଠନ ମନ୍ତ୍ରୀ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ମେଧାବୀ
ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟଆଚାର୍ଯ୍ୟା ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

