ଭୁବନେଶ୍ୱର, ୦୪ ଏପ୍ରିଲ (ହି.ସ.)- ି କଳିଙ୍ଗ ଷ୍ଟାଡିୟମ ଠାରେ ଶନିବାର କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ର ପତାକା ପ୍ରଦାନ କରିଛନ୍ତି। ଏଥିସହିତ ଓଡିଶା ୨୦୨୮ରେ ଏହି ଗୌରବଜନକ ଚମ୍ପିଅନସିପ୍ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି।
ସୂଚନାଯୋଗ୍ୟ ଯେ, ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ଶ୍ରୀ ରବୀନ୍ଦ୍ର ଚୌଧୁରୀ ଏବଂ ଓଡିଶାର କ୍ରୀଡା ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ପୋଲାଣ୍ଡରେ ଏହି ଚମ୍ପିଅନସିପ୍ ର ଫ୍ଲାଗ୍ ଗ୍ରହଣ କରିଥିଲେ। ଏହାଦ୍ୱାରା ଭାରତ ଓ ଓଡିଶାକୁ ଏହି ଚମ୍ପିଅନସିପ୍ ଆୟୋଜନ କରିବାର ଦାୟିତ୍ୱ ବିଧିବଦ୍ଧ ଭାରେ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ପୋଲାଣ୍ଡରେ ୱାର୍ଲ୍ଡ ଆଥଲେଟିକ୍ସର ପ୍ରେସିଡେଂଟ ସେବାଷ୍ଟିଆନ୍ କୋ ଭାରତର ଓଡିଶାରେ ଏହି ଚମ୍ପିଅନସିପ୍ ହେବ ବୋଲି ଘୋଷଣା କରିଥିଲେ। ଏହାଦ୍ୱାରା ବିଶ୍ୱ କ୍ରୀଡା ପଟଳରେ ଓଡିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି।
ଏହି ପତାକାକୁ ଗ୍ରହଣକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା କେବଳ ଏକ ଇଭେଂଟ ନୁହେଁ, ଏହା ଓଡିଶାର କ୍ରୀଡାପାଇଁ ଏକ ଐତିହାସିକ ମୁହୂର୍ତ। ୨୦୨୮ ପାଇଁ କାଉଂଟଡାଉନ୍ ଆରମ୍ଭ ହେବା ସହିତ ଏହି ପତାକା ଆମ ଆଶା, ଆକାଂକ୍ଷା ଓ ଗୌରବମୟ ଯାତ୍ରାର ପ୍ରତୀକ। ଏହା ହେଉଛି ସାରା ବିଶ୍ୱକୁ ଓଡିଶାର ପ୍ରତିଶୃତି-ଏକ ସଫଳ, ଆକର୍ଷଣୀୟ ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ।
ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଅନସିପ୍ ବିଶ୍ୱସ୍ତରୀୟ ଟ୍ରାକ୍ ଆଣ୍ଡ ଫିଲ୍ଡର ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ। ଏଥିରେ ବିଶ୍ୱର ଶ୍ରେଷ୍ଠ ଖେଳାଳୀମାନେ ପ୍ରତିଯୋଗିତା କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିଥାନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା

