
ନୂଆପଡ଼ା, ୫ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ନବନିର୍ମାଣ କୃଷକ ରଥକୁ ଆଜି ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନବନିର୍ମାଣ କୃଷକ ସଂଗଠନ ନୂଆପଡ଼ା ତରଫରୁ ସହରର ଆମ୍ବେଦକର ଛକ ଠାରେ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।
ପ୍ରଥମେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ଶୋଭାଯାତ୍ରା ବାହାରି ଖଡ଼ିଆଳ ଅଗ୍ରସେନ ଭବନ ଠାରେ ପହଞ୍ଚିଥିଲା। ପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ତଥା ରାଜ୍ୟ ସଭାପତି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶାର ସମସ୍ତ ଜିଲ୍ଲାରୁ କୃଷକ ମାନେ ଗତ ମାର୍ଚ୍ଚ ୨୨ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କେନ୍ଦୁଝର ଜିଲା ଘଟଗାଁ ତାରିଣୀ ପୀଠରୁ ପଦଯାତ୍ରା ଆରମ୍ଭ କରି ଭୁବନେଶ୍ୱରରେ ପର୍ଯ୍ୟନ୍ତ ପହଞ୍ଚି ଥିଲେ। ଏହି ପଦଯାତ୍ରାର ସମ୍ପୂର୍ଣ୍ଣ ୨୧ଟି ଦାବି ଓ ମୂଖ୍ୟତଃ ୩ଟି ଦାବି, ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍ କୁ ନେଇ ପଦଯାତ୍ରା ଆରମ୍ଭ ହୋଇଥିଲା। କିନ୍ତୁ ସରକାର ମାର୍ଚ୍ଚ ୩୦ ତାରିଖ ଦିନ ୫ ହଜାର ପୋଲିସ କର୍ମଚାରୀଙ୍କୁ ଲଗାଇ ପଦଯାତ୍ରା କରୁଥିବା ୭୦୦ ଜଣ ଚାଷୀ ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସମେତ ୧୨ ଜଣ ଚାଷୀ ନେତା ମାନଙ୍କୁ ଗିରଫ କରି ୧୫ ଦିନ ଜେଲରେ ଭରିଦେଲେ। ଓଡ଼ିଶା ପ୍ରଦେଶ ଗଠନର ସୁତ୍ରଧର ମଧୁସୂଦନ ଦାସଙ୍କ ଜୟନ୍ତୀ ଅପ୍ରେଲ ୨୮ ତାରିଖରୁ ଏକ କୃଷକ ରଥ ବାହାରି ସମସ୍ତ ଜିଲ୍ଲା ମାନଙ୍କୁ ପହଞ୍ଚି, ଜିଲ୍ଲା କମିଟି ମାନଙ୍କ ଉପସ୍ଥିତିରେ ଚାଷୀ ମାନଙ୍କ ସହିତ ମିଶି ଆଲୋଚନା କରି ମଇ ୧୪ ତାରିଖ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବ ବୋଲି ସୂଚନା ମିଳିଛି।
ଆଜିର ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ତାଣ୍ଡି, ଶ୍ରିନିବାସ ବେହେରା, ଗଦାଧର ବେହେରା, ଟିକଚନ ଆଡବଙ୍ଗ ଏବଂ ଅନେକ ଚାଷୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ

