Dailyhunt
ନରେନ୍ଦ୍ରପୁରରେ କାଳ ବୈଶାଖୀ ଓ କୁଆପଥର ମାଡ଼ରେ ଭାଙ୍ଗିଲା ଏକାଧିକ ଘର

ନରେନ୍ଦ୍ରପୁରରେ କାଳ ବୈଶାଖୀ ଓ କୁଆପଥର ମାଡ଼ରେ ଭାଙ୍ଗିଲା ଏକାଧିକ ଘର

ଭଦ୍ରକ, ୮ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଂଚାୟତ ନରେନ୍ଦ୍ରପୁର ଗାଁର ମାଝୀସାହି ଓ ସାମଲସାହିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଅଦିନିଆ କାଳ ବୈଶାଖୀ ସହ କୁଆ ପଥର ମାଡ଼। ଏହି ଦୁଇ ସାହିରେ ସର୍ବାଧିକ ଘର କଚ୍ଚା ଏବଂ ଆଜବେଷ୍ଟ ହୋଇଥିବାରୁ କୁଆପଥର ଖସି ଆଜବେଷ୍ଟରେ ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇଛି।

ଗତକାଲି ସଂଧ୍ୟା ପରେ ଆଜି ମଧ୍ୟ ସକାଳୁ ପ୍ରବଳ ବର୍ଷା ହେବା ଫଳରେ ଘର ଭିତରେ ଥିବା ଆସବାବ ପତ୍ର ନଷ୍ଟ ହେବା ସହ ବାହାରେ ଥିବା ଗାଡି ମୋଟର ଭାଙ୍ଗି ଯାଇଛି। ପୂର୍ବରୁ କୁଆପଥର ବୃଷ୍ଟି ବହୁବାର ଦେଖିଥିଲେ ମଧ୍ୟ ଏତେ ବଡ଼ ବଡ଼ କୁଆପଥର ଖସିବା ପ୍ରଥମେ ଦେଖୁଥିବା କହିଛନ୍ତି। ନରେନ୍ଦ୍ରପୁର ପଂଚାୟତରେ ଥିବା ବାବା ସନାତନ ଗୋସାଇଁ ଗାଦିପୀଠ ଏବଂ ସୀତାରାମ ଆଶ୍ରମରେ ଥିବା ଆଜବେଷ୍ଟ ଘର ଗୁଡିକ ଭାଙ୍ଗିବା ସହ ଘର ଭିତରେ ପାଣି ପଶି ଆଶ୍ରମରେ ଥିବା ସାମଗ୍ରୀ ନଷ୍ଟ ହୋଇଛି। ନରେନ୍ଦ୍ରପୁର ପଂଚାୟତ ସରପଂଚ ଲୋକଙ୍କ ପାଖରେ ପହଂଚି ଭାଙ୍ଗିଥିବା ଘର ଗୁଡିକୁ ଦେଖିଥିଲେ ହେଲେ ଆଜି ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ । ସରକାରୀ କାଗଜପତ୍ରରେ ସମସ୍ତ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ପକ୍କା ଘର ମିଳି ସାରିଥିଲା ବେଳେ ଏହି ଦୁଇ ସାହିରେ ଜ୍ଞାନେନ୍ଦ୍ର ମାଝୀ, ବାସନ୍ତୀ ମାଝୀ, ସନ୍ଥ ଚରଣ ବେହେରା, ମହେନ୍ଦ୍ର ମାଝୀ, ରମାକାନ୍ତ ମାଝୀ, ସହଦ୍ୱେ ମାଝୀ, ଲକ୍ଷ୍ମୀଧର ମାଝୀ, ବାବାଜୀ, ମାଝୀ, ଅହଲ୍ୟା ମାଝିଙ୍କ ସମେତ ପାଖାପାଖି ଶହେରୁ ଉର୍ଦ୍ଧ ପରିବାର କଚ୍ଚା ଚାଳ ଏବଂ ଆଜବେଷ୍ଟ ଘରେ ରହୁଛନ୍ତି । ତୁରନ୍ତ ପ୍ରଶାସନ ପହଂଚି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଲୋକମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya