Dailyhunt

ଓମଫେଡ ଦ୍ୱାରା କ୍ଷୀର ଦର ବୃଦ୍ଧିକୁ ବିଜେଡି କଲା ବିରୋଧ

ଭୁବନେଶ୍ୱର , 03 ମେ (ହି.ସ.) ଓମଫେଡ ଦ୍ୱାରା କ୍ଷୀର ଦର ବୃଦ୍ଧିକୁ ବିଜୁ ଜନତା ଦଳ ପକ୍ଷରୁ ବିରୋଧ କରାଯାଇଛି ।

ଆଜି ରାଜ୍ୟ ସରକାର ଓମ୍ଫେଡ୍ ଦୁଗ୍ଧ ପ୍ରତି ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି । ଯେଉଁଥିରେ ମାତ୍ର ୧ ଟଙ୍କା ଚାଷୀ ଉପକୃତ ହୋଇଥିଲା ବେଳେ ଆଉ ତିନି ଟଙ୍କା ସରକାର ଚାଲାଖି କରି ନିଜ ତହବିଲକୁ ନେଉଛନ୍ତି ବୋଲି ଅଭିଯୋଗ କରି କଡା ସମାଲୋଚନା କରିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.

ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ବିଜେପି ସରକାର ଉପରେ ବର୍ଷିଛନ୍ତି ।

ଡ. ମହାନ୍ତି କହିଛନ୍ତି, ସରକାର ଓମ୍ଫେଡ୍ ଦୁଗ୍ଧ ଲିଟର ପିଛା ୪ଟଙ୍କା ବୃଦ୍ଧି କରିଛନ୍ତି । ଏଥିରେ ମାତ୍ର ୧ ଟଙ୍କା ଦୁଗ୍ଧ ଚାଷୀମାନେ ଉପକୃତ ହୋଇଥିଲା ବେଳେ ଆଉ ୩ ଟଙ୍କା ରାଜ୍ୟ ସରକାର ଲାଭବାନ ହେଉଛନ୍ତି । ସରକାର ଚାଲାଖି କରି ଦୁଇ ଦିନ ତଳେ ଦୁଗ୍ଧ ଚାଷୀମାନଙ୍କୁ ଲିଟର ପିଛା ୧ ଟଙ୍କା ଦେବା ପାଇଁ ଖବର କାଗଜରେ ବିଜ୍ଞାପନ ପ୍ରକାଶ କରି ବାହାବା ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଆଜି ସରକାରଙ୍କ ଅସଲ ଉଦେ୍ଦଶ୍ୟ ସର୍ବସମ୍ମୁଖକୁ ଆସିଛି । ୧ ଟଙ୍କା ଚାଷୀଙ୍କୁ ଦେବା ବାହାନାରେ ୪ ଟଙ୍କା ସାଧାରଣ ଖାଉଟିଙ୍କୁ ଲୁଟିଛନ୍ତି । ସରକାର ବୃଦ୍ଧି କରିଥିବା ସମସ୍ତ ୪ ଟଙ୍କା ଦୁଗ୍ଧ ଚାଷୀଙ୍କୁ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ଅନ୍ୟପଟେ ଗ୍ୟାସ୍ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅଣାୟତ୍ତ କରିସାରିଲାଣି । ବିଗତ ୬ ମାସରେ ୪ ଥର ଗ୍ୟାସ୍ ଦର ବୃଦ୍ଧି 'ବେଡି ଉପରେ କୋରଡା ମାଡ' ସଦୃଶ୍ୟ । ଏହା ଲୋକଙ୍କ ଦୈନନ୍ଦିନ ଜୀବନରେ ଆର୍ଥିକ ବୋଝ ବଢାଇବାରେ ଲାଗିଛି ।

ସେହିପରି ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ଓମ୍ଫେଡ୍ ଦର ବୃଦ୍ଧି ଓ ଗ୍ୟାସ ଦର ବୃଦ୍ଧି ଯୋଗୁ ସାଧାରଣ ଛାତ୍ରଟିଏ ଚା' କପ ଟିଏ ୫ ଟଙ୍କାରେ ପିଉଥିଲା ବେଳେ ୨୦ ଟଙ୍କାରେ ଜଳିଖିଆ ଖାଉଥିଲା । କିନ୍ତୁ ଆଜି ସରକାରଙ୍କ ଏହି ଦର ବୃଦ୍ଧି ଯୋଗୁ, ସାଧାରଣ ଛାତ୍ରଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ସରକାର ଦରବୃଦ୍ଧିକୁ ତୁରନ୍ତ ନିୟନ୍ତ୍ରଣକୁ ଆଣନ୍ତୁ, ନଚେତ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଏହାର ଦୃଢ ବିରୋଧ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya