Dailyhunt
ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତ ଦେହ ଠାବ ହତ୍ୟା ଅଭିଯୋଗରେ ଗ୍ରାମବାସୀଙ୍କ ୫୯ ନମ୍ବର ଜାତୀୟ ରାଜପଥ ରାସ୍ତା ରୋକ

ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତ ଦେହ ଠାବ ହତ୍ୟା ଅଭିଯୋଗରେ ଗ୍ରାମବାସୀଙ୍କ ୫୯ ନମ୍ବର ଜାତୀୟ ରାଜପଥ ରାସ୍ତା ରୋକ

ବଲାଙ୍ଗୀର, ୦୩ ମଇ(ହି.ସ.) - ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଗୋଇମୁଣ୍ଡ ପଂଚାୟତର ଚିତ୍ରାମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଅଂଚଳର ରଞ୍ଜିତା ସାହୁ। ଏହି ଘଟଣାକୁ ନେଇ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ରଞ୍ଜିତା ଗତକାଲି ସକାଳେ ନିଜ କପା କିଆରିକୁ କାମ କରିବାକୁ ଯାଇଥିଲେ। ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଅନେକ ଖୋଜାଖୋଜି ପରେ ଶେଷରେ ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ମଧ୍ୟରେ ତାଙ୍କ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣା ସମୟରେ ରଞ୍ଜିତାଙ୍କ ସ୍ୱାମୀ ବାହାର ରାଜ୍ୟରେ ଥିବା ବେଳେ ଘରେ ତାଙ୍କର ତିନୋଟି ଛୋଟ ପିଲା ଅଛନ୍ତି।ମୃତଦେହ ମିଳିବା ପରେ ପରିବାର ଲୋକେ ଏହାକୁ ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। କେହି ଦୁର୍ବୃତ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କୂଅରେ ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ନ୍ୟାୟ ପ୍ରଦାନ ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖବର ପାଇ ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବଲାଙ୍ଗୀରରୁ ସାଇଂଟିଫିକ୍ ଟିମ୍ ଏବଂ କଂଟାବାଞ୍ଜି ଏସଡିପିଓ ଘଟଣାସ୍ଥଳକୁ ଗସ୍ତ କରି ଅଧିକ ଯାଂଚ କରିବାର କାର୍ଯ୍ୟକ୍ରମ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏହି ଘଟଣାରେ ଉତ୍ୟକ୍ତ ପରିବାର ଓ ସମ୍ପର୍କୀୟ ବଙ୍ଗୋମୁଣ୍ଡା- ଟିଟିଲାଗଡ ୫୯ ନମ୍ବର ଜାତୀୟ ରାଜପଥ ରାସ୍ତା ରୋକ କରିଥିବାବେଳେ ଏଥିରେ ସଂପୃକ୍ତି ଥିବା ସନ୍ଦେହ କରି ମୁରିବାହାଲ ପୋଲିସ୍ ୨ ଜଣକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଥିବା ନେଇ ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya