Wednesday, 27 Jan, 7.12 pm Hindusthan Samachar

ମୁଖ୍ୟ ସମ୍ବାଦ
ଫୁଲବାଣୀରେ ଜିଲ୍ଲା ସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

କନ୍ଧମାଳ,୨୭ ଜାନୁୟାରୀ(ହି.ସ.)- ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଆଜି ପ୍ରଗତି ପରମ୍ପରାରେ ପରିଣତ ହୋଇଛି । କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ପଞ୍ଝାୟତିରାଜ, ସାମାଜିକ ସୁରକ୍ଷା, ଆଦିବାସୀ କଲ୍ୟାଣ, ଶକ୍ତି, ଗମନାଗମନ, ମହିଳା ଓ ଶିଶୁ ବିକାଶ, ଯୁବ ସଶକ୍ତିକରଣ ଓ ଦକ୍ଷତା ବିକାଶ, କ୍ରୀଡ଼ା, ସୂଚନା ପ୍ରଯୁକ୍ତି, ଶିଳ୍ପ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଆଦି ବିଭିନ୍ନ କ୍ଷେତ୍ରରେ ଆମେ ସଫଳତାର ସୋପାନ ପରେ ସୋପାନ ଉଠି ଚାଲିଛୁ । ରାଜ୍ୟର ସାମଗ୍ରିକ ବିକାଶର ଚିତ୍ର ସର୍ବ ଭାରତୀୟ ସ୍ତରରେ ଆମ ପାଇଁ ଗର୍ବ ଓ ଗୌରବ ଆଣିଛି । ରାଜ୍ୟରେ ଏକ ଉତର ଦାୟୀ, କାର୍ଯ୍ୟକ୍ଷମ, ସ୍ୱଚ୍ଛ ଓ ସକ୍ରିୟ ପ୍ରଶାସନ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୫ \"ଟି\' ର ଆହ୍ୱାନ ଦେଇଛନ୍ତି । ଏହାକୁ ମୂଳମନ୍ତ୍ର ରୂପେ ଗ୍ରହଣ କରି ପ୍ରତ୍ୟେକ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ପ୍ରୟୋଗ କରାଯାଉଛି ଓ ତଦନୁଯାୟୀ ରାଜସ୍ୱ ବିଭାଗ ତରଫରୁ ବିଭିନ୍ନ ଫଳପ୍ରସୂ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଓଡ଼ିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ଜିଲ୍ଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଫୁଲବାଣୀଠାରେ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ରିଜର୍ଭ ପୋଲିସ୍ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମାନ୍ୟବର ମନ୍ତ୍ରୀ ଶୀଯୁକ୍ତ ମାରାଣ୍ଡି ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ତିଳତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଥିବା ଦେଶ. ରାଜ୍ୟ ଓ କନ୍ଧମାଳ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ନିଜ ବକ୍ତବ୍ୟ ମାଧ୍ୟମରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । କନ୍ଧମାଳ ଜିଲ୍ଲାର ମାଟିକୁ ଏକ ପୂଣ୍ୟ ଭୁମି ଭାବେ ସେ ଅଭିହିତ କରି ଏହି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ନିଯୁକ୍ତି, ପର୍ଯ୍ୟଟନ ଆଦି ସହିତ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଅହରହ ଓ ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସଂପନ୍ନ ଆଗୁଆ ପଦକ୍ଷେପ ଫଳରେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଏହି ମହାମାରୀ ନିୟନ୍ତ୍ରଣ ସ୍ଥିତିରେ ଏବେବି ରହିଛି । ଜନ ସମାଜ ମଧ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରି ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ଲାଗି ନିଜ ଜୀବନକୁ ବାଜି ଲଗାଇଥିବା କରୋନା ଯୋଦ୍ଧାମାନଙ୍କ ଅସୀମ ତ୍ୟାଗ ଓ ଧୈର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଝାୟତ ଓ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଝାୟତକୁ ସୁସ୍ଥ ପଞ୍ଝାୟତ ଭାବେ ଏବଂ ଗୁମାଗଡ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସ୍ରାର୍ସାନଣ୍ଡା ଗାଁ କଲ୍ୟାଣ ସମିତି ଓ ଖଜୁରୀପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବେରେଗୁଡ଼ା ଗାଁ କଲ୍ୟାଣ ସମିତିକୁ ସୁସ୍ଥ ଗାଁ ଭାବେ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି, ଫୁଲବାଣୀ ପୌର ପରିଷଦର ସଫେଇ କର୍ମଚାରୀ ପ୍ରମୋଦିନୀ ବେହେରା, ଶ୍ରୀକାନ୍ତ ବେହେରା ଓ ଆକାଂକ୍ଷା ବେହେରା ଏବଂ ଫୁଲବାଣୀ ଆଇ.ସି.ଡି.ଏସ୍‌.ର ଅଙ୍ଗନୱାର୍ଡୀ କର୍ମୀ ଶ୍ରୀମତୀ ଦେବକୀ ମଲ୍ଲିକ, ଫିରିଙ୍ଗିଆ ଆଇ.ସି.ଡି.ଏସ୍ ର ଅଙ୍ଗନୱାର୍ଡୀ କର୍ମୀ ଶ୍ରୀମତୀ ବିଜୟାଲକ୍ଷ୍ମୀ ପ୍ରଧାନ ଓ ଖଜୁରୀପଡ଼ା ଆଇ.ସି.ଡି.ଏସ୍‌.ର ଅଙ୍ଗନୱାର୍ଡୀ କର୍ମୀ ଶ୍ରୀମତୀ ପ୍ରମିଳା ସାହୁଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମାରାଣ୍ଡିଁ ସମ୍ବର୍ଦ୍ଧିତ କରିଥିଲେ ।

ଅଭିବାଦନ ମଞ୍ଝରେ ମାନ୍ୟବର ମୁଖ୍ୟ ଅତିଥିଙ୍କ ସହିତ ଜିଲ୍ଲାପାଳ ଡା. ବୃନ୍ଦା ଡି. ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିିନିତ ଅଗ୍ରୱାଲ ଉପସ୍ଥିତ ଥିଲେ । ମଞ୍ଝ ନିକଟରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସ, ତହସିଲଦାର ଶ୍ରୀ ଦୀନମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ଉତ୍ସବରେ, ପୋଲିସ୍ ବାହିନୀର ଗୋଟିଏ ଦଳ, ଓଡ଼ିଶା ଗୃହରକ୍ଷୀ ବାହିନୀର ଗୋଟିଏ ଦଳ ଏବଂ ପୋଲିସ୍‌ର ବ୍ୟାଣ୍ଡ ବାହିନୀର ଗୋଟିଏ ଦଳ ଅଂଶଗ୍ରହଣ କରିଥିଲେ । ରିଜର୍ଭ ପୋଲିସ୍ ଇନ୍ସପେକ୍ଟର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସର୍ଜେଣ୍ଟ ଶ୍ରୀ ସରୋଜ କୁମାର ବେହେରା ଯଥାକ୍ରମେ ପ୍ୟାରେଡ଼୍ କମାଣ୍ଡର୍ ଓ ସହକାରୀ ପ୍ୟାରେଡ଼୍ କମାଣ୍ଡର୍ ଭାବେ ପ୍ୟାରେଡ଼୍ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top