Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟ ସୁପରଭାଇଜରି ବୋର୍ଡ ଦ୍ୱାରା ପିସି ପିଏନଡ଼ିଟି ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା

ରାଜ୍ୟ ସୁପରଭାଇଜରି ବୋର୍ଡ ଦ୍ୱାରା ପିସି ପିଏନଡ଼ିଟି ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା

ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ଭୁବନେଶ୍ୱରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ସୋମବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ପିସି ପିଏନଡିଟି ଆଇନ ସମ୍ବନ୍ଧିତ ରାଜ୍ୟ ସୁପରଭାଇଜରି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟର ଲିଙ୍ଗ ଅନୁପାତରେ ଉନ୍ନତି ଅଣାଯାଇପାରିବ ସେ ଦିଗରେ ରାଜ୍ୟସ୍ତରୀୟ ବୈଠକରେ ଆଲୋଚନା ହୋଇଛି ।

ଲିଙ୍ଗ ଅନୁପାତ ଅନୁସାରେ ନିମ୍ନସ୍ତରରେ ଥିବା ଜିଲ୍ଲାଗୁଡିକ ଫଳାଫଳ କିପରି ଉନ୍ନତି ହେବ ସେ ବାବଦରେ ପଦକ୍ଷେପ ନିଆଯିବ । ଜିଲ୍ଲାସ୍ତରୀୟ କମିଟିକୁ ସୁଦୃଢ କରାଯିବା ସହ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଗୁଡିକ ଅଧିକ ନିରୀକ୍ଷଣ ଏବଂ ମନିଟରିଂ କରାଯିବ । ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ବୋର୍ଡ ଗୁରୁତ୍ୱାରୋପ କରିଛି ଯେ ପିସି ପିଏନଡିଟି ଆଇନର ପ୍ରଭାବୀ କାର୍ଯ୍ୟାନ୍ୱୟନ ପାଇଁ ଦୃଢ଼ ନିୟମ, କଠୋର ଆଇନ, ସମ୍ପ୍ରଦାୟ ଅଂଶଗ୍ରହଣ ଏବଂ ବିଭିନ୍ନ ବିଭାଗଗୁଡ଼ିକୁ ସାମିଲ କରି ସମନ୍ୱୟଦ୍ୱାରା ଅନୁପାତରେ ଉନ୍ନତି ଅଣାଯାଇହେବ । ବୋର୍ଡ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆଇନର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଛି । ଓଡ଼ିଶା ଅଲ୍ଟ୍ରାସାଉଣ୍ଡ ସୁବିଧାର ଅନଲାଇନ୍ ପଞ୍ଜୀକରଣ ଏବଂ ନବୀକରଣ, ଅନଲାଇନ୍ ଫର୍ମ-ଏଫ ରିପୋର୍ଟିଂ, ପଞ୍ଜିକୃତ ଡାକ୍ତରୀ ପ୍ରାକ୍ଟିସନର ଯାଞ୍ଚ ପାଇଁ ଓଡ଼ିଶା କାଉନସିଲ ଅଫ୍ ମେଡିକାଲ୍ ରେଜିଷ୍ଟ୍ରେସନ ) ସହିତ ସମନ୍ୱୟ ଏବଂ ଆଭା ପଞ୍ଜୀକୃତ ହିତାଧିକାରୀ ପ୍ରମାଣୀକରଣ କାର୍ଯ୍ୟକ୍ଷମ କରିଛି, ଯାହା ସ୍ୱଚ୍ଛତା, ଦାୟିତ୍ୱ ଏବଂ ତଦାରଖରେ ଉଲ୍ଲେଖନୀୟ ଉନ୍ନତି ଆସିଛି ବୋଲି ବୈଠକରେ ମତପ୍ରକାଶ ପାଇଛି ।

ବୋର୍ଡ ୨୦୨୪ ରୁ ୨୦୨୬ ମଧ୍ୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପଦକ୍ଷେପଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲା, ଯେଉଁଥିରେ ଜିଲ୍ଲା କର୍ତୃପକ୍ଷଙ୍କ ଦ୍ୱାରା ୬୪୯ଟି ଏବଂ ରାଜ୍ୟ କର୍ତୃପକ୍ଷଙ୍କ ଦ୍ୱାରା ୧୧ ଟି ଯାଞ୍ଚ ଅନ୍ତର୍ଭୁକ୍ତ ଥିଲା । ସେଥିରୁ ଛଅଟି ବେଆଇନ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ସିଲ୍, ଛଅଟି ଅଲ୍ଟ୍ରାସାଉଣ୍ଡ ମେସିନ୍ ଜବତ, ଏଫଆଇଆର୍ ପଞ୍ଜିକରଣ, ଅଭିଯୋଗ ଏବଂ ସରକାରୀ ଡାକ୍ତରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବୋର୍ଡ ଗୁରୁତ୍ୱାରୋପ କରିଥିଲା ଯେ ଆଇନ ଅନୁଯାୟୀ ନିଯୁକ୍ତ କର୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ କଠୋର କରାଯିବା, ଅବୈଧ ଲିଙ୍ଗ ଚୟନ କରିବାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ମେଡିକାଲ କଲେଜ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ସମ୍ଭାବ୍ୟ ପିତାମାତାଙ୍କୁ ସଚେତନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏ ବାବଦରେ ସୂଚନାଦାତା ପ୍ରୋତ୍ସାହନ ଯୋଜନା ଅନୁସାରେ, ଜଣେ ସୂଚନାଦାତା ଅଣପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍, ଲିଙ୍ଗ ଚୟନ କିମ୍ବା ଅବୈଧ ଲିଙ୍ଗ ଚିହ୍ନଟ ସୂଚନା ପ୍ରଦାନ କରିଲେ ୨୫୦୦୦ ଟଙ୍କାର ପ୍ରୋତ୍ସାହନ ପାଇବ ।

ବୋର୍ଡ ଜନ୍ମ ସମୟରେ ଲିଙ୍ଗ ଅନୁପାତର ବିଶ୍ଳେଷଣ ସମୀକ୍ଷାରେ ଯାଜପୁରକୁ ସବୁଠୁ ଉନ୍ନତ ପ୍ରଦର୍ଶନ କରିଥିବା ଜିଲ୍ଲା ଏବଂ ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଖୋର୍ଦ୍ଧାକୁ ରାଜ୍ୟର ସବୁଠାରୁ ପାଂଚ ନିମ୍ନ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଚିହ୍ନଟ କରିଛି। ନିମ୍ନ ପ୍ରଦର୍ଶନକାରୀ ଜିଲ୍ଲା କର୍ତୃପକ୍ଷଙ୍କୁ ନିରୀକ୍ଷଣକୁ ତୀବ୍ର କରିବାକୁ, ଫର୍ମ-ଏଫ ରେକର୍ଡର ଶତ ପ୍ରତିଶତ ଯାଂଚ ସୁନିଶ୍ଚିତ କରିବାକୁ ଏବଂ ଏହି ଜିଲ୍ଲାଗୁଡ଼ିକରେ ଜନ୍ମ ସମୟରେ ଲିଙ୍ଗ ଅନୁପାତକୁ ଉନ୍ନତ କରିବା ପାଇଁ ଅଧିକ ସଚେତନତା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ତଥା କମିଶନର ଅଶ୍ୱତୀ ଏସ., ଜାତୀୟ ସ୍ୱାସ୍ଥ୍ୟ ମିଶନ ଏମ୍ ଡ଼ି ଡ଼. ବୃନ୍ଦା ଡ଼ି ଏବଂ ଅନ୍ୟ ନିମନ୍ତ୍ରିତ ସଦସ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya