
ଜୟପୁର, ୪ ଅପ୍ରେଲ (ହି.ସ.)- ସର୍ବଦଳୀୟ ବୈଠକରେ ଇଷ୍ଟ କୋଷ୍ଟ ରେଲୱେ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନାରେ ଯୋଗଦେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଞ୍ଚଳର ନ୍ୟାୟସଂଗତ ହକ୍ ଓ ସମଗ୍ର ଉନ୍ନତି ପାଇଁ ଦୃଢ଼ ଭାବେ ନିଜ ମତ ପ୍ରକାଶ କରିଥିଲେ। ୱାଲ୍ଟେୟାର ଡିଭିଜନକୁ କୋରାପୁଟ ଓ ରାୟଗଡ଼ା ଅଞ୍ଚଳରୁ ପ୍ରଚୁର ରେଭେନ୍ୟୁ ମିଳୁଥିବା ସତ୍ବେ ମଧ୍ୟ, ଏହି ଅଞ୍ଚଳରେ ରେଲୱେ ସୁବିଧା, ଯାତ୍ରୀ ସେବା ଓ ଢାଞ୍ଚାଗତ ଉନ୍ନତିରେ ଦୀର୍ଘଦିନ ଧରି ଅବହେଳା ଚାଲିଆସୁଥିବା ନେଇ ସେ ଗଭୀର ଚିନ୍ତା ପ୍ରକାଶ କରିଥିଲେ।ବିଧାୟକ କହିଥିଲେ ଯେ, ଦୀର୍ଘ ସମୟ ଧରି କେନ୍ଦ୍ର ସରକାର ଓଡ଼ିଶାର ରେଲୱେ ଉନ୍ନତି ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଇନାହାନ୍ତି।
ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ଉଭୟ ସ୍ଥାନରେ ଏକ ଦଳର ସରକାର ଥିବା ସତ୍ବେ "ଡବଲ୍ ଇଞ୍ଜିନ୍" ନାମରେ ଓଡ଼ିଶାବାସୀଙ୍କୁ ପ୍ରାକୃତିକ ଉନ୍ନତିରୁ ବଞ୍ଚିତ କରାଯାଉଛି, ଯାହା ପ୍ରକୃତରେ "ଡବଲ୍ ଧୋକା" ସମାନ ପରିସ୍ଥିତି ସୃଷ୍ଟି କରିଛି। ଏହାସହିତ, ଓଡ଼ିଶାରୁ ନିର୍ବାଚିତ ହୋଇ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଥିବା ରେଳମନ୍ତ୍ରୀଙ୍କ ପକ୍ଷରୁ ମଧ୍ୟ ରେଲୱେ ସମସ୍ୟା ସମାଧାନ ଓ ଲୋକହିତ ପ୍ରତି ଆବଶ୍ୟକ ଗୁରୁତ୍ଵ ନ ଦେଖାଯାଇଥିବାକୁ ସେ ଦୁଃଖ ପ୍ରକାଶ କରିଥିଲେ।ଏହି ପରିପ୍ରେକ୍ଷିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲକାଙ୍କୁ ସେ ପ୍ରଶଂସା କରିଥିଲେ, ଯିଏ ପାର୍ଲାମେଣ୍ଟରେ ପୁନଃପୁନି ଓଡ଼ିଶାର ରେଲୱେ ଉନ୍ନତି ଓ ଲୋକହିତ ସମସ୍ୟାଗୁଡ଼ିକୁ ଉଠାଇଆସୁଛନ୍ତି। ଆମ ଅଞ୍ଚଳର ନ୍ୟାୟସଂଗତ ଅଧିକାର, ଉଚିତ ରେଲୱେ ସୁବିଧା, ନୂତନ ପ୍ରକଳ୍ପ ଓ ସମତୁଳ୍ୟ ଉନ୍ନତି ପାଇଁ ଆମର ଲଢେଇ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ ଦୃଢ଼ ମତ ପ୍ରକାଶ କରିଥିଲେ। ଜନସାଧାରଣଙ୍କ ହିତ ଓ ସୁବିଧା ସୁନିଶ୍ଚିତ କରିବା ଆମର ପ୍ରଥମ ପ୍ରାଥମିକତା ରହିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି

