ଝାରସୁଗୁଡା, ୪ ଅପ୍ରେଲ (ହି.ସ.)- ଝାରସୁଗୁଡା ଜିଲ୍ଲା କୋଲାବିରା ତହସିଲ ଅନ୍ତର୍ଗତ ସୋଢାମାଳ ମୌଜାରେ ଥିବା ଜଙ୍ଗଲ ଅଞ୍ଚଳରେ ବିଶାଳ ପରିମାଣରେ ଗଛ କଟାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଖାତା ନଂ ୪୯୦, ପ୍ଲଟ ନଂ ୧୨୦୯ର ୧୬.୯୮୬ ହେକ୍ଟର ପତିତ ଓ ଆବାଦିଯୋଗ୍ୟ ଅନାବାଦି ଜମିରେ ବର୍ଷ ବର୍ଷ ଧରି ଜଙ୍ଗଲ ରହିଆସୁଥିବା ବେଳେ, ତାହାର ପ୍ରାୟ ୪ ଏକର ଅଞ୍ଚଳ ସଫା କରାଯାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
ସୂଚନାନୁସାରେ, ସୋଢାମାଳ ନିକଟସ୍ଥ ନୂଆମୁଣ୍ଡା ଅଞ୍ଚଳରେ ଥିବା ଏହି ଜଙ୍ଗଲରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛ ଓ ଝାଡ଼ବୁଡ଼ିକୁ ଦୁର୍ବୁତ୍ତମାନେ ଦୀର୍ଘଦିନ ଧରି କାଟି ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏହାର ପରିଣାମ ସ୍ଵରୂପ ସମ୍ପୂର୍ଣ୍ଣ ଅଞ୍ଚଳଟି ପ୍ରାୟ ଜଙ୍ଗଲହୀନ ହୋଇପଡ଼ିଛି। ଏହି ଘଟଣା ଘଟିଥିବା ସ୍ଥାନଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବନାଞ୍ଚଳର କଟେରଧୁଆ ବନପାଳ ସେକସନ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଅବସ୍ଥିତ। ଏତେ ନିକଟରେ ବନ ଅଫିସ ଥିବା ସତ୍ବେ ଶହ ଶହ ଗଛ କଟାଯାଇଥିବା ନେଇ ବନବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି। ପୁରୁଣା ରାଞ୍ଚି ରୋଡ଼ର ଜୁନାତିହି ଛକ ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଏହି ପୁରାତନ ଜଙ୍ଗଲରୁ ବେଧଡ଼କ ଭାବେ ଗଛ କଟାଯିବା ଘଟଣାକୁ ନେଇ ସ୍ଥାନୀୟ ସଚେତନ ନାଗରିକ ଓ ପରିବେଶ ପ୍ରେମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, ବନ ବିଭାଗର ଦାୟିତ୍ୱହୀନତା ଓ ନିଷ୍କ୍ରିୟତା କାରଣରୁ ଏପରି ବିପୁଳ ପରିମାଣରେ ଗଛ କଟାଯାଇଛି। ତଥାପି, ଏନେଇ ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ, କାରଣ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ
