ଚମ୍ପୁଆ, ୫ ମଇ (ହି.ସ.)- ଚମ୍ପୁଆ ବ୍ଲକରେ ଉନ୍ନୟନ କାର୍ଯ୍ୟ ଗୁଡିକରେ ଠିକାଦାର ମାନେ ବିଭିନ୍ନ ପ୍ରକାରେ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ କରି ଅନୁଦାନ ଟଙ୍କାକୁ ହରିଲୁଟ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଧୃତରାଷ୍ଟ୍ର ସାଜିଛି। ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଚମ୍ପୁଆ ବ୍ଲକରେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତା'ର ବିପରୀତ ପ୍ରତିଫଳନ ଦେଖିବାକୁ ମିଳୁଛି।
ଫଳରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ଚାଲିଥିବା ସୁଭଦ୍ରା ଶକ୍ତି କେନ୍ଦ୍ର ଗୃହ ଗୁଡିକରେ। ସରକାରଙ୍କ ଯେ କୋୖଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜନ ସାଧାରଣଙ୍କ ଅବଗତି ସୂଚନା ନିମନ୍ତେ ସୂଚନା ଫଳକ ଲଗାଇବା କଡା ନିୟମ ରହିଥିବା ବେଳେ ଚମ୍ପୁଆ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ସୁଭଦ୍ରା ଶକ୍ତି କେନ୍ଦ୍ର ଗୃହ ନିର୍ମାଣ କ୍ଷେତ୍ରରେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଛି।
ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣଧିନ ସୁଭଦ୍ରା ଶକ୍ତିକେନ୍ଦ୍ର ଗୃହର ଅର୍ଦ୍ଧାଧିକ କାମ ସରିଲାଣି, କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟସ୍ଥାନରେ କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଫଳକ ମରା ଯାଇନାହିଁ। ଫଳରେ କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ସାଧାରଣ ଲୋକେ ଜାଣି ପାରୁ ନ ଥିବା ବେଳେ ନିର୍ମାଣ କାର୍ଯ୍ୟବେଳେ କୌଣସି ଅଧିକାରୀ କିମ୍ବା ଯନ୍ତ୍ରୀ କାର୍ଯ୍ୟ ପ୍ରତି କୌଣସି ଦୃଷ୍ଟି ଦେଉ ନ ଥିବାରୁ ଏହି ଗୃହ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା କୁହାଯାଉଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଛାତ ଢ଼ଳେଇ ସମୟରେ ମଧ୍ୟ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ ଉପସ୍ଥିତ ନ ରହିବାରୁ ଅତି ନିମ୍ନମାନର କାର୍ଯ୍ୟ କରାଯାଇଛି। ଢ଼ଳେଇ ସିଲିଙ୍ଗ ଖୋଲିବା ପରେ ରଡ଼ ଗୁଡିକ ବାହାରକୁ ବାହାରି ରହିଥିବା ଦେଖିବାକୁ ମିଳିଛି। ପରେ ଠିକାଦାର ମସଲା ମାରି ତାକୁ ଘୋଡ଼େଇବାକୁ ଚେଷ୍ଟା କରିଥିବା ବେଳେ ଏହି ଛାତର ସ୍ଥାୟିତ୍ଵକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ଭଣ୍ଡା ପଞ୍ଚାୟତ ଏବଂ ଚନ୍ଦ୍ରଶେଖରପୁର ପଞ୍ଚାୟରେ ନିର୍ମାଣଧିନ ଶକ୍ତିକେନ୍ଦ୍ର ଗୃହରେ ମଧ୍ୟ କୌଣସି ସୂଚନା ଫଳକ ଦିଆଯାଇ ନଥିବା ଦେଖିବାକୁ ମିଳିଛି । ତେବେ କାର୍ଯ୍ୟ ସମ୍ପର୍କିତ ସୂଚନା ଫଳକ ଦିଆଯାଉ ନଥିବା ସହିତ କାର୍ଯ୍ୟ ପ୍ରତି ଅଧିକାରୀମାନେ ଧୃତରାଷ୍ଟ୍ର ସାଜିବା ଠିକାଦାର ଏବଂ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଥିବା ବେଳେ କାର୍ଯ୍ୟର ସ୍ଵଛତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta
