
ସୁବର୍ଣ୍ଣପୁର, ୦୩ ମଇ(ହି.ସ.) - ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମି ପାର୍ଟି(ଆପ)ର ସଭାପତି ପୃଥୀରାଜ ଜଗଦଲା(୨୬)ଙ୍କୁ ଠକେଇ ମାମଲାରେ ଗିରଫ କରିଛି ସୋନପୁର ପୋଲିସ। ଏନେଇ ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ନାରାୟଣ ନାୟକ। ସୂଚନା ଯୋଗ୍ୟ ଯେ, ସୋନପୁର ଥାନା କିର୍ତୀପୁର ଗ୍ରାମର ସରୋଜ ଭେସ୍ରା ପୃଥୀରାଜଙ୍କ ନାମରେ ସୋନପୁର ଥାନାରେ ଏପ୍ରିଲ ୨୨ରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ସେଥିରେ ସରୋଜଙ୍କ ସ୍ତ୍ରୀଙ୍କୁ ପୋଷ୍ଟାଲ ଜିଡିଏସ୍ ଚାକିରି କରାଇ ଦେବା ପାଇଁ କହି କିସ୍ତି ହିସାବରେ ମୋଟ ୧ଲକ୍ଷ ୫୫ ହଜାର ଟଙ୍କା ଠକି ନେଇଥିଲେ ଶ୍ରୀ ଜଗଦଲା। ପରେ ଏକ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ, ପୃଥୀରାଜ ଦେଇଥିବା ନିଯୁକ୍ତିପତ୍ର ନକଲି। ସରୋଜ ଟଙ୍କା ଫେରାଇ ଦେବା ପାଇଁ କହିବାରୁ ପୁଣି ପୃଥୀରାଜ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଆଟେଣ୍ଡାଂଟ ଚାକିରି କରାଇ ଦେବି କହି ଗୋଟିଏ ନିଯୁକ୍ତିପତ୍ର ଦେଇଥିଲେ। ପରେ ଅଭିଯୋଗକାରୀ ଜାଣିବାକୁ ପାଇଲେ ଯେ, ଉକ୍ତ ନିଯୁକ୍ତି ପତ୍ରଟି ମଧ୍ୟ ନକଲି। ପରବର୍ତୀ ସମୟରେ ପୁଣି ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗୃହରକ୍ଷୀ ଭାବେ ଚାକିରି କରାଇଦେବି କହି ନଗଦ ଟଙ୍କା, ବ୍ୟାଙ୍କ ମାଧ୍ୟମରେ ଏବଂ ୟୁପିଆଇ ଇତ୍ୟାଦି ମାଧ୍ୟମରେ ସରୋଜ ଦେଇଥିବା ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ସୋନପୁର ଥାନାରେ ୧୪୩/୨୦୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ସମୟରେ ପୃଥୀରାଜ ଆକାଉଂଟରେ ଓ ଫୋନ୍ ପେ ଜରିଆରେ ଟଙ୍କା ନେଇଥିବାର ପ୍ରମାଣ ମିଳିଥିଲା। ପରେ ସୋନପୁର ପୋଲିସ ଟିମ୍ ପୃଥୀରାଜଙ୍କୁ ବୀରମହାରାଜପୁର ବ୍ଲକ କଳାପଥର ସ୍ଥିତ ଘରୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ସୋନପୁର ସବ୍ସେଲ୍ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ତାଙ୍କ ନାମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନାରେ ୬ ଗୋଟି ମାମଲା ରହିଥିବାବେଳେ ଜିଲ୍ଲା ବାହାରେ ମଧ୍ୟ ପୃଥୀରାଜଙ୍କ ନାମରେ ଅନେକ ଠକେଇ ମାମଲା ଥିବା ଏସ୍ପି ନାରାୟଣ ନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

