Dailyhunt
୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା,ପ୍ରଥମ ଦିନରେ ୧୭ ହଜାର ଲୋକ ହେଲେ ଗଣା

୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା,ପ୍ରଥମ ଦିନରେ ୧୭ ହଜାର ଲୋକ ହେଲେ ଗଣା

ଦେଶବ୍ୟାପୀ ବହୁ ପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ପ୍ରଥମ ଦିନରେ ହିଁ ରାଜ୍ୟର ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡିଜିଟାଲ ପ୍ରକ୍ରିୟାରେ ଜନ ଗଣନା କରିଥିବା ନେଇ ସୂଚନା ଦେଇଛନ୍ତି ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ।ଦୀର୍ଘ ୧୫ ବର୍ଷ ପରେ ସାରା ଦେଶରେ ଆସନ୍ତାକାଲିଠୁ ଜନଗଣନା ଆରମ୍ଭ ହୋଇଥିବା ବେଳେ, ଓଡ଼ିଶାରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ରାଜ୍ୟର ପ୍ରଥମ ନାଗରିକ ଭାବେ ସ୍ୱଗଣନା କରାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏବଂ କଟକ ମହାନଗର ନିଗମ ମେୟର ସୁବାସ ସିଂ ପ୍ରମୁଖ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଜନଗଣନା ପାଇଁ ନାଗରିକଙ୍କୁ ଦେବାକୁ ପଡ଼ିବ ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡ଼ି, ଜମିବାଡ଼ି, ଏଲ୍‌ପିଜି, ଇଣ୍ଟରନେଟ୍‌ ସୁବିଧା, ମୋବାଇଲ୍‌ ଫୋନ୍‌ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।

ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି । ପ୍ରଥମ ଥର ପାଇଁ ଅନଲାଇନରେ ସ୍ୱଗଣନା କରିପାରିବେ ସାଧାରଣ ଜନତା। ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍‌ସାଇଟ୍‌ se.census.gov.in କୁ ଯାଇ ଦେଇପାରିବେ । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia