ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଭାରତର ପାଂଚଟି ରାଜ୍ୟରେ କରୋନା ମହାମାରୀ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ପାଂଚଟି ରାଜ୍ୟ ହେଲେ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ । ଏହି ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ପରିଚାଳନା ତଥା କେଂଟନମେଂଟ ପାଇଁ କି କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏବେ ଲକ୍ଷ୍ୟ କରାଯାଇଛି ଯେ ମହାମାରୀ କରୋନା ପୂର୍ବାଂଚଳ ରାଜ୍ୟମାନଙ୍କ ଦିଗରେ ଗତି କରୁଛି ଏବଂ ସେହିସବୁ ରାଜ୍ୟରେ ପ୍ରତିଦିନ ନୂତନ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୈଠକରେ ଶ୍ରୀ ରାଜେଶ ଭୂଷଣଙ୍କ ବ୍ୟତୀତ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ବିନୋଦ କୁମାର ପଲ୍, ସଚିବ (ସ୍ୱାସ୍ଥ୍ୟ ଗବେଷଣା) ତଥା ଆଇସିଏମଆର ମହା ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ଏବଂ ଡିଜିଏଚଏସ ଡକ୍ଟର (ପ୍ରଫେସର) ସୁନୀଲ କୁମାର, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ସୁଶ୍ରୀ ଆରତୀ ଆହୁଜା, ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ ସିଂହ ତଥା ପ୍ରମୁଖ ସଚିବ (ସ୍ୱାସ୍ଥ୍ୟ) ଏନଏଚଏମର ମିଶନ ନିର୍ଦ୍ଦେଶକ ଏବଂ ସଂପୃକ୍ତ ରାଜ୍ୟମାନଙ୍କ ସର୍ଭେଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ ।