Tuesday, 20 Aug, 7.34 am KANAK NEWS

ନ୍ୟୁଜ
ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ କାର୍ଯ୍ୟର ଆଜି ଦ୍ୱିତୀୟ ଦିନ । ଜେସିବି ଭାଙ୍ଗିଲା ସେସୁ କାର୍ଯ୍ୟାଳୟ, ପ୍ରତିହାରୀ ନିଯୋଗ କୋଠା, ରାମଦୟା ପରିଷଦ, ସିଂହଦ୍ୱାର ଫାଣ୍ଡି

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଚାରିକଡରେ ଥିବା ଜବରଦଖଲ ଉଚ୍ଛେଦର ଆଜି ଦ୍ୱିତୀୟ ଦିନ । ପ୍ରବଳ ବିରୋଧ ସତ୍ୱେ ସରକାର, ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଓ ଘରୋଇ କୋଠା ଏବଂ ବେଆଇନ ଦୋକାନ ଘରକୁ ଭାଙ୍ଗିବା କାମ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ପ୍ରତିହାରୀ ନିଯୋଗ କୋଠା, ରାମଦୟା ପରିଷଦ, ସିଂହଦ୍ୱାର ଫାଣ୍ଡି ଓ ଲୋକ ସଂପର୍କ ବିଭାଗର କୋଠା ବୁଲଡ୍ରୋଜର ମାଡରେ ଟଳିପଡିଛି । ସେହିପରି ଦକ୍ଷିଣ ଦ୍ୱାରର ସେସୁ କାର୍ଯ୍ୟାଳୟ, ପିଏଚଡି କାର୍ଯ୍ୟାଳୟ, ଶୌଚାଳୟ ସମେତ ଛୋଟବଡ ଦୋକାନ ଭଙ୍ଗାଯାଇଛି ।

ପଶ୍ଚିମଦ୍ୱାରରେ ଥିବା ସେସୁ କାର୍ଯ୍ୟାଳୟ, ପିଏଚଡି କାର୍ଯ୍ୟାଳୟ, ସଂକିର୍ତନ ଘର ଉଚ୍ଛେଦ ହୋଇଛି । ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲା ୮ଟି ଜେସିବି । କେବଳ ମଠ ମନ୍ଦିରକୁ ଉଚ୍ଛେଦରୁ ବାଦ ଦିଆଯାଇଛି । ତେବେ ପର୍ଯ୍ୟାୟ କ୍ରମରେ ତାହା ବି ଉଚ୍ଛେଦ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଗତକାଲିର ଉଚ୍ଚେଦ ପ୍ରକ୍ରିୟାରେ ୮ ଜଣ ମାଜିଷ୍ଟ୍ରେଟ୍, ଜିଲ୍ଲାପାଳ, ଏସପିଙ୍କ ସମେତ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ଉଚ୍ଛେଦ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ସହରରେ ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ପୂର୍ବରୁ ମେଘନାଦ ପାଚେରୀକୁ ଲାଗିରହିଥିବା ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ସିଂହଦ୍ୱାର ସାମ୍ନାରେ ଥିବା ଫାଣ୍ଡିକୁ ମଧ୍ୟ ଘୁଂଚାଇ ଦିଆଯାଇଛି । ସିଂହଦ୍ୱାର ଓ ଉତରଦ୍ୱାର ମଝିରେ ରହିଥିବା ଦୁଇଟି ଜୋତା ଷ୍ଟାଣ୍ଡ, ମୋବାଇଲ୍ ଷ୍ଟାଣ୍ଡ ଓ ଦିବ୍ୟାଙ୍ଗ ରାମ୍ପକୁ ବଡଦାଣ୍ଡ ବ୍ୟାରିକେଡ୍ ଭିତରକୁ ଅସ୍ଥାୟୀ ଭାବେ ଉଠାଇ ନିଆଯାଇଛି । ମେଘନାଦ ପାଚେରୀକୁ ଜବରଦଖଲ ମୁକ୍ତ ଅଭିଯାନ ଶେଷ ହେବା ପରେ କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ ୭୫ ମିଟର ଓସାରରେ ଶ୍ରୀମନ୍ଦିର ଚାରିପାଖକୁ ଘର, ମଠ ଓ ମନ୍ଦିର ମୁକ୍ତ କରାଯିବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Kanaknews
Top