Thursday, 21 Jan, 9.25 am ଖବର ଓଡିଶା

ରାଜ୍ୟ
ଆଜିଠୁ ବିନା ରିପୋର୍ଟରେ ଜଗା ଦର୍ଶନ, ଉଠିଲା କୋଭିଡ୍ ରିପୋର୍ଟ କଟକଣା

ପୁରୀ, ଜାନୁଆରୀ ୨୨ (ଖବର ଓଡ଼ିଶା): ଆଜିଠୁ ଶ୍ରୀମନ୍ଦିରରୁ ଉଠିଲା କୋଭିଡ୍ ରିପୋର୍ଟ କଟକଣା । ବିନା କରୋନା ରିପୋର୍ଟରେ ଭକ୍ତ କରିପାରିବେ ମହାପ୍ରଭୁଙ୍କୁ ଦର୍ଶନ । ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ସବୁଠାରୁ ବଡ ବାଧକ ସାଜିଥିଲା କୋଭିଡ୍ ରିପୋର୍ଟ କଟକଣା । ଯାହାକୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ ।

ତେବେ ଆଜିଠୁ ବହୁ ବାଦ ବିବାଦ ପରେ ଏହି କଟକଣାକୁ ଉଠାଇ ଦିଆଯାଇଛି । ଆଜି ଠାରୁ ବିନା କୋଭିଡ୍ ରିପୋର୍ଟରେ ବି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । କେବଳ କରୋନା ରିପୋର୍ଟ କଟକଣାକୁ ଉଠାଇ ଦିଆଯାଇଛି ହେଲେ ଅନ୍ୟ ସବୁ କରୋନା କଟକଣା ପୂର୍ବ ଭଳି କଡା କଡି ଭାବରେ ପାଳନ କରାଯାଉଛି । ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବା ଭଳି ନିୟମକୁ ବାଧ୍ୟତାମୂଳକ କରାଯାଇଛି ।

ଆଜି ସକାଳ ୬ ଟାରୁ ଭକ୍ତ ମାନଙ୍କ ପାଇଁ ମନ୍ଦିର ଖୋଲିଥିବା ବେଳେ ପ୍ରଥମ ଏକ ଘଣ୍ଟା କେବଳ ପୁରୀ ବାସୀଙ୍କ ପାଇଁ ଦର୍ଶନ ଅନୁମତି ରହିଥିଲା, ଏହାପରେ ସକାଳ ୭ ଟାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ।

ପୂର୍ବ ଭଳି ସଂକ୍ରମଣକୁ ଦୃଷ୍ଟିରେ ରଖି ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ବଡଦାଣ୍ଡ ମାର୍କେଟ ଛକରୁ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍ ର ବ୍ୟବସ୍ଥା କରାଯାଇଛି । ଏଥି ସହିତ ପ୍ରତିଦିନ ୩୦ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ଦର୍ଶନ ପୂର୍ବରୁ ସିଂହଦ୍ୱାର ଥର୍ମାଲ୍ ସ୍କାନିଂ କୁ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଥର୍ମାଲ୍ ସ୍କ୍ରିନିଂ ସମୟରେ ଶରୀରରେ ତାପମାତ୍ର ୧୦୦ ଡିଗ୍ରୀ ଉପରକୁ ଥିଲେ ସେହି ବ୍ୟକ୍ତି ମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯିବା ସହିତ ମେଡିକାଲ ଯିବା ପାଇଁ ପରାମର୍ଶ ଦିଆଯିବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top