Friday, 18 Oct, 11.05 pm ଖବର ଓଡିଶା

ରାଷ୍ଟ୍ରୀୟ
ଭୁବନେଶ୍ଵରରେ ସର ସଂଘକାର୍ଯ୍ୟବାହ ଭୈୟାଜୀ ଯୋଶୀ, ଆସାମ ପରି ପୂରା ଦେଶରେ ଏନଆରସି ଲାଗୁ ହେବା ଉଚିତ୍

ଭୁବନେଶ୍ୱର, ଅକ୍ଟୋବର୧୮(ଖବର ଓଡ଼ିଶା):

ଆସାମରେ ଏନଆରସି ଲାଗୁ ହେବା ପରେ ଗୋଟିଏ ପଟେ ଦେଶର ଅନେକ ରାଜ୍ୟରେ ଏହାକୁ ଲାଗୁ କରିବାକୁ ଦାବି ଉଠୁଥିବା ବେଳେ ଅନ୍ୟପଟେ ଆରଏସଏସ ମଧ୍ୟ ଏହି ଦାବିକୁ ସଂପୂର୍ଣ୍ଣ ସମର୍ଥନ କରିଛି। ସଂଘ ସରକାର୍ଯ୍ୟବାହ ଭୈୟାଜୀ ଯୋଶୀ କହିଛନ୍ତି ଯେ, ଆସାମ ପରି ପୂରା ଦେଶରେ ଏନଆରସି ଲାଗୁ କରାଯିବା ଉଚିତ୍। ଏହା ସହିତ ସେ ଅଯୋଧ୍ୟା ମାମଲାରେ ହିନ୍ଦୁଙ୍କ ପକ୍ଷରେ ନିଷ୍ପତ୍ତି ଆସିବା ନେଇ ଆଶା ପ୍ରକାଶ କରିଛନ୍ତି। ଭୈୟାଜୀ ଭୁବନେଶ୍ଵରରେ ଆୟୋଜିତ ସଂଘର ତିନି ଦିବସୀୟ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ବୈଠକର ଶେଷ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏହା କହିଛନ୍ତି। ଅକ୍ଟୋବର ୧୬ରୁ ୧୮ ଯାଏ ଚାଲିଥିବା ଏହି ବୈଠକରେ ସଂଘର ପ୍ରାନ୍ତୀୟ ସ୍ତରର ପ୍ରାୟ ୪୦୦ ପ୍ରଚାରକ ଯୋଗ ଦେଇଥିଲେ।

ସରକାର୍ଯ୍ୟବାହ କହିଛନ୍ତି ଯେ, କୌଣସି ବି ସରକାରଙ୍କ କର୍ତ୍ତବ୍ୟ ଏହା ଯେ, ଦେଶରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରିବା ଓ ନିୟମ ତିଆରି କରି ଏହାରି ଆଧାରରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା। ଅଦ୍ୟାବଧି ଏହାର ପ୍ରୟୋଗ ଆସାମରେ ହୋଇଛି। ଏହାକୁ ପୂରା ଦେଶରେ ଲାଗୁ କରିବା ଉଚିତ୍। ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ମୋତେ ଲାଗୁଛି ଯେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଥିବା ବାଧା ସମାପ୍ତ ହୋଇଛି। ଏବେ ଏହି ମାମଲାର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟରେ ସମାପ୍ତ ହୋଇଛି। ତେଣୁ ଆଶା କରୁଛି ରାୟ ହିନ୍ଦୁଙ୍କ ପକ୍ଷରେ ଆସିବ।

ସମାନ ଆଚାର ସଂହିତା ପ୍ରଶ୍ନରେ ସେ କହିଛନ୍ତି ଯେ, ଏହି ଦାବି ବହୁ ପୂରାତନ। ସମ୍ବିଧାନ ନିର୍ମାଣ ସମୟରେ ହିଁ ଏହାର ନିଷ୍ପତ୍ତି ହୋଇଯିବାର ଥିଲା। ଏହା ସମସ୍ତଙ୍କ ହିତ ପାଇଁ ଏବଂ କୌଣସି ବି ଦେଶରେ ନିଜ ନାଗରିକଙ୍କ ପାଇଁ ସମାନ କାନୁନ ହେବା ଉଚିତ୍। କାଶ୍ମୀରୀ ପଣ୍ଡିତଙ୍କ ନିଜ ମାଟିକୁ ଫେରିବା ସମ୍ବନ୍ଧରେ ଭୈୟାଜୀ କହିଛନ୍ତି, ସୁରକ୍ଷା କାରଣରୁ ସେମାନଙ୍କୁ ନିଜ ଘରୁ ପଳାୟନ କରିବାକୁ ପଡ଼ିଥିଲା। ଆମେ ଚାହୁଁଛୁ ଯେ କାଶ୍ମୀରରେ ପୁନଃ ସୁରକ୍ଷାର ବାତାବରଣ ହେଉ ଯଦ୍ଵାରା କାଶ୍ମୀରୀ ହିନ୍ଦୁ ସମାଜ ନିଜ ଘରକୁ ଫେରି ପାରିବେ।

ଏହି ସମୟରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ। ଏହି ସମୟରେ ଦେଶର ଜ୍ଵଳନ୍ତ ପ୍ରସଙ୍ଗ ଉପରେ ଆଲୋଚନା ସହିତ ସଂଘ ନିଜର ଆନୁସଙ୍ଗିକ ସଂଗଠନର କାର୍ଯ୍ୟର ସମୀକ୍ଷା କରିବା ସହିତ କାର୍ଯ୍ୟକର୍ତ୍ତାଙ୍କ କ୍ଷମତା ସଂଦର୍ଭରେ ରଣନୀତି ପ୍ରସ୍ତୁତ ହୋଇଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top