Wednesday, 22 Jan, 3.05 pm ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
କୋରନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ, ଡବ୍ଲୁଏଚଓ ଘୋଷଣା କରିପାରେ ବିଶ୍ୱ ଜରୁରୀକାଳୀନ ସ୍ୱାସ୍ଥ୍ୟ ସ୍ଥିତି

ଚୀନ,ଜାନୁଆରୀ ୨୨ (ଖବର ଓଡ଼ିଶା):

ସାରା ବିଶ୍ୱରେ ଏବେ ଦେଖାଦେଇଛି କରୋନା ଭାଇରସର ଆତଙ୍କ । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ପାଇଁ ଏବେ ସାରା ବିଶ୍ୱବାସୀ ଚିନ୍ତିତ । କେବଳ ଏହି ଭାଇରସ ଯୋଗୁଁ ଚୀନରେ ବର୍ତ୍ତମାନ ସୁଦ୍ଧା 6 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି ଓ ପ୍ରାୟ 300 ରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଚୀନର କେନ୍ଦ୍ରୀୟ ସହର ଉହାନରେ ପ୍ରଥମେ ଏହି ଭାଇରସକୁ ଚିହ୍ନଟ କରାଯାଇଥିଲା । ଏହି ଭୂତାଣୁକୁ ବ୍ୟାପିବାରୁ କିପରି ରୋକାଯାଇପାରିବ ସେ ନେଇ ଚୀନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣ ବ୍ୟାପିବା ଭୟ ଥିବାରୁ ଚୀନର ଲୁନାର ନ୍ୟୁ ଇୟର ପାଳନକୁ ମଧ୍ୟ ବାତିଲ କରାଯାଇଛି । ଉହାନକୁ ଟୁର ଏଜେନ୍ସିମାନେ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଯିବା ପାଇଁ ବାରଣ କରିଛନ୍ତି ।

କେବଳ ଚୀନ ନୁହେଁ ବିଶ୍ୱବ୍ୟାପୀ ଅନ୍ୟ ଦେଶ ମାନଙ୍କରେ ମଧ୍ୟ କୋରାନ ଭାଇରସକୁ ନେଇ ଆତଙ୍କ ଖେଳିଗଲାଣି । ଏହି ଭୂତାଣୁ ଏବେ ଥାଇଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ତାଇୱାନ ଏବଂ ଅଷ୍ଟ୍ରେଲିଆରେ ପହଁଞ୍ଚିଛି । ବିଶ୍ୱବ୍ୟାପୀ ବିଭିନ୍ନ ବିମାନବନ୍ଦରରେ ଚୀନର ପର୍ଯ୍ୟଟକଙ୍କୁ ଭଲଭାବେ ସ୍କ୍ରିନିଂ କରାଯାଉଛି । ଚୀନରୁ ଆସୁଥିବା ଲୋକଙ୍କ ପାଇଁ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ନଜର ରଖାଯାଇଛି । ଦିଲ୍ଲୀ, କୋଲକାତା, ମୁମ୍ୱାଇ, ଚେନ୍ନାଇ ସମେତ 7ଟି ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା । ଯେଉଁମାନେ ଚୀନ ଯାଉଛନ୍ତି ସେମାନଙ୍କୁ କୌଣସି ପଶୁ ହାଟକୁ ଯିବା ପାଇଁ ବାରଣ କରାଯାଇଛି । କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପୁଥିବା ନେଇ ସ୍ପଷ୍ଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲୁଏଚଓ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି ଏବଂ ସମଗ୍ର ବିଶ୍ୱରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସ୍ଥିତି ଘୋଷଣା କରିବା ନେଇ ବୈଠକରେ ନିଷ୍ପତି ହୋଇପାରେ ।

ତେବେ ଏହି ଭାଇରସ ନୂଆ ନୂହେଁ ଏହା ପୂର୍ବରୁ ମଧ୍ୟ ଥରେ ଆତଙ୍କ ଖେଳାଇଥିଲା । 2002/2003 ମସିହାରେ ମଧ୍ୟ ଏହି ଭଳି ସାରସ ଭୂତାଣୁ ଦ୍ୱାରା ବିଶ୍ୱର ପ୍ରାୟ 800 ଲୋକ ମୃତ୍ୟୁବରଣ କରିଥିଲେ । ତେବେ ଚୀନରେ ବର୍ତ୍ତମାନ 300ରୁ ଉର୍ଦ୍ଦ୍ୱ ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅଧିକାଂଶ ଲୋକେ ଉହାନ ପ୍ରଦେଶର ବୋଲି ଜଣାପଡିଛି । ଉହାନ ସହର ପରେ ଚୀନ ଅନ୍ୟ ସହର ମାନଙ୍କରେ ମଧ୍ୟ ଏହି ଭୀତାଣୁ ବ୍ୟାପିବାକୁ ଲାଗିଲାଣି । ତେବେ ଏହି ଭୂତାଣୁ ବ୍ୟାପିଥିବା ସଂକ୍ରମଣ ଲୋକମାନଙ୍କୁ ଚିକିତ୍ସା କରି 6 ଜଣ ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

କରୋନା ଭାଇରସ କଣ ? ଏହା କିପରି ବ୍ୟାପିଥାଏ ?

କରୋନା ଭାଇରସର ଉତ୍ପତି କେଉଁଠାରୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଡବ୍ଲୁ ଏଚ ଓ ର ସୂଚନା ଅନୁଯାୟୀ ଏହା ପଶୁ ମାନଙ୍କଠାରୁ ବ୍ୟାପିଛି । ପଶୁ ମାନଙ୍କ ଶରୀରରୁ ମଣିଷ ଶରୀରକୁ ଏହି ଭୂତାଣୁ ବ୍ୟାପିଥାଏ ବୋଲି ଜଣାପଡିଛି । ତେବେ ଚୀନର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କ ସୂଚନା ଅନୁଯାୟୀ ଏହି ଭୂତାଣୁ ଉହାନର ଥିବା ସୀ ଫୁଡ଼ ମାର୍କେଟରୁ ବ୍ୟାପିଛି ବୋଲି । ହେଲେ ଏହି ଦାବୀ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ ।

କରୋନା ଭାଇରସର ଲକ୍ଷଣ :-

ଏହି ଭାଇରସ ମୁଖ୍ୟତଃ ନିମୋନିଆର କାରଣ ହୋଇଥାଏ । ଏହାର ଲକ୍ଷଣ ଗୁଡିକ ସାଧାରଣତଃ ଥଣ୍ଡା ଜ୍ୱର ପରି ହୋଇଥାଏ । ପରିଶେଷରେ ଏହା ଆକ୍ରାନ୍ତର ଜୀବନ ନେଇଥାଏ । ଯେଉଁ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ସେହି ମାନଙ୍କୁ ଏହି ରୋଗ ଖୁବ ଶୀଘ୍ର ଆକ୍ରାନ୍ତ କରିଥାଏ ବୋଲି ଜଣାପଡିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top