Monday, 19 Jun, 11.18 am ଖବର ଓଡିଶା

ମହିଳା
ମିସ୍ ଇଣ୍ଡିଆ ପ୍ୟାସିଫିକ୍ - ୨୦୧୭ ହେଲେ ଓଡିଆ ଝିଅ ସୋନିକା

ଭୁବନେଶ୍ୱର , ଜୁନ ୪(ଖବର ଓଡିଶା): ଜାତୀୟ ଓ ଅର୍ନ୍ତଜାତୀୟ ଦରବାରରେ ଧିରେ ଧିରେ ଓଡିଆଙ୍କ ଚମକ୍ ବଢ଼ିବାରେ ଲାଗିଲାଣି। କଟକରେ ଜନ୍ମି ହୋଇ ପୁରୁଣା ଭୁବନେଶ୍ୱରରେ ରହୁଥିବା ସୋନିକା ରାୟ ନିକଟରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ୨୦୧୭ ବିଜେତା ହୋଇଛନ୍ତି। କ୍ରାଉନ ଜିତିବା ପରେ ଓଡିଆ ଝିଅ ସୋନିକା ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ଫିଲିପାଇନ୍ସ ଯିବେ । ସେଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗୀତା ୨୦୧୭ରେ ଭାରତକୁ ପ୍ରତିନିଧିତ୍ୱ କରିବେ ସୋନିକା। ଫିଲିପାଇନ୍ସରେ ହେବାକୁ ଯାଉଥିବା ଏହି ପ୍ରତିଯୋଗୀତାରେ ୭୫ଟି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ମିସ୍ ଇଣ୍ଡିଆ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସ୍ନାଲ ପ୍ରତିଯୋଗୀତା ପାଇଁ ସାରା ଦେଶରୁ ପ୍ରାୟ ୪୦ଟି ପ୍ରୋଫାଇଲ ଆସିଥିଲା । ୪୦ଟି ପ୍ରୋଫାଇଲ ମଧ୍ୟରୁ ବିଚାରକମାନେ ୭ଟି ପ୍ରୋଫାଇଲକୁ ବାଛିଥିଲେ । ସେହି ୭ ଜଣଙ୍କ ମଧ୍ୟରୁ କ୍ରାଉନ ପାଇବାରେ ସଫଳ ହୋଇଥିଲେ ପୁରୁଣା ଭୁବନେଶ୍ୱରରେ ରହୁଥିବା ୨୨ ବର୍ଷୀୟ ସୋନିକା । ପିଲାବେଳୁ ମଡେଲିଂରେ ରୁଚି ରଖିଥିବା ସୋନିକା ଗତ ୨୦୧୪ରେ ମିସ୍ ଓଡିଶା ପ୍ରତିଯୋଗୀତାର ପ୍ରଥମ ରନର୍ସଅପ୍ ମଧ୍ୟ ହୋଇଥିଲେ । ଐଶ୍ୱର୍ୟ୍ୟା ରାୟ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଆଦର୍ଶ କରି ମଡେଲିଂ ଦୁନିଆରେ ପାଦ ଥାପିଥିଲେ ସୋନିକା ।

ଅଳ୍ପ ବୟସରେ ମା ' ଓ ନିକଟରେ ନିଜ ବାପାଙ୍କୁ ହରାଇଛନ୍ତି ସୋନିକା । ଏବେ ପାଇଥିବା ସଫଳତାକୁ ନେଇ ସୋନିକା କହିଛନ୍ତି ମୋ ବାପା ମା ' ନଥିଲେ ବି ତାଙ୍କ ଆର୍ଶୀବାଦ ସଦାସର୍ବଦା ମୋ ସହ ଅଛି । ସେ କହିଛନ୍ତି ସୁନ୍ଦର ଚେହେରା ରଖି , ଡେଙ୍ଗା ହେବା ବା ନିଜ ସୌନ୍ଦର୍ୟ୍ୟର ଯତ୍ନ ନେଇଗଲେ ସୁନ୍ଦରୀ ପ୍ରତିଯୋଗିତା ଜିତି ହେବନି । ଏଥିପାଇଁ ଗୋଟିଏ ସୁନ୍ଦର ହୃଦୟ ଦରକାର ।

ସୁନ୍ଦର ହୃଦୟରୁ ଭଲ ବ୍ୟକ୍ତିତ୍ୱ ଓ ଆଟିଚ୍ୟୁଡ୍ ଆସେ ବୋଲି କହିଛନ୍ତି ସୋନିକା । ପ୍ରତିଯୋଗିତାରୁ ଫେରି ଓଡିଶାରେ ଏକ ମଡେଲିଂ ଇନ୍ଷ୍ଟିଚ୍ୟୁଟ ଖୋଲି , ଓଡିଆ ଝିଅମାନଙ୍କୁ ତାଲିମ ଦେଇ ବାହାରକୁ ପଠାଇବାର ଯୋଜନା ରଖିଛନ୍ତି ଓଡିଆ ଝିଅ ସୋନିକା ।
Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top