ରାଷ୍ଟ୍ରୀୟ
ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବାରୁ ୬ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ, ଜାନୁଆରୀ ୨୪ (ଖବର ଓଡ଼ିଶା):
ଦିଲ୍ଲୀର ଖାନ ମାର୍କେଟ ନିକଟରେ ' ପାକିସ୍ତାନ ଜିନ୍ଦାବାଦ ' ସ୍ଲୋଗାନ ଦେବା ଅଭିଯୋଗରେ ଆଜି ତିନିଜଣ ଯୁବକ ଓ ତିନିଜଣ ମହିଳାଙ୍କୁ ପୋଲିସ ଗିରଫ କରିଛି । ଖାନ ମାର୍କେଟ ନିକଟରେ କିଛି ଲୋକ ' ପାକିସ୍ତାନ ଜିନ୍ଦାବାଦ ' ସ୍ଲୋଗାନ ଦେଉଥିବାର ଅଭିଯୋଗ ହେବା ପରେ ପୋଲିସ ଖାନ ମାର୍କେଟରେ ପହଞ୍ଚିଥିଲା।
ଏହି ଘଟଣାରେ ପୋଲିସ ତିନିଜଣ ଯୁବକ , ତିନିଜଣ ମହିଳା ଏବଂ ସେମାନଙ୍କ ପରିବାରକୁ ପଚରାଉଚରା କରୁଛି। ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ଏହି ଘଟଣା ଘଟିଛି।
ଖାନ ମାର୍କେଟ ମେଟ୍ରୋ ଷ୍ଟେସନ ନିକଟରେ କିଛି ଲୋକ ' ପାକିସ୍ତାନ ଜିନ୍ଦାବାଦ ' ସ୍ଲୋଗାନ ଦେବା ଅଭିଯୋଗ ନେଇ ତୁଗଲକ ରୋଡ ପୋଲିସ ଷ୍ଟେସନରେ ସକାଳ ପ୍ରାୟ ୧ଟା ସମୟରେ ପୋଲିସ ଏକ କଲ ପାଇଥିଲା। ତଦନ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ୟୁଲୁ ବାଇକରେ ୩ ଯୁବକ , ୩ ମହିଳା ପାଇଥିଲେ। ପଚରାଉଚରା ପରେ ସେମାନେ ଦାବି କରିଛନ୍ତି ଯେ ସେମାନେ ଇଣ୍ଡିଆ ଗେଟ୍ ବୁଲି ଦେଖିବା ପାଇଁ ଆସିଛନ୍ତି ଏବଂ ୟୁଲୁ ବାଇକ୍ ଭଡା ଦେଇଛନ୍ତି।
ସେମାନେ ଦାବି କରିଛନ୍ତି ଯେ ସେମାନେ ୟୁଲୁ ବାଇକରେ ବୁଲିବା ସମୟରେ ପାକିସ୍ତାନ ସମେତ ସେମାନେ ସମ୍ପୃକ୍ତ ଦେଶର ନାମରେ ପରସ୍ପରକୁ ଡାକିଥିଲେ। ସେମାନେ ପାକିସ୍ତାନର ଜଣେ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ ଏବଂ ଶେଷରେ ' ପାକିସ୍ତାନ ଜିନ୍ଦାବାଦ ' ବୋଲି କହିଥିଲେ।